କଙ୍ଗନାଙ୍କ ମିଳିଲା ହତ୍ୟା ଧମକ: ଲୋଡିଲେ ସୁରକ୍ଷା

ନୂଆଦିଲ୍ଲୀ, ୨୮।୮:‘ଏମର୍ଜେନ୍ସି’ ଚଳଚ୍ଚିତ୍ର ରିଲିଜ ହେଲେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ୬ ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସି କଙ୍ଗନାଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନିହାଙ୍ଗ ଶିଖ୍‌ ପୋଷାକରେ ରହିଛନ୍ତି। ଜଣେ ବ୍ୟକ୍ତି କହୁଛନ୍ତି, ଏହି ଫିଲ୍ମକୁ ଶିଖ୍‌ ସମୁଦାୟ ବିରୋଧ କରିବେ। ଯଦି ଚଳଚ୍ଚିତ୍ରରେ ଖାଲିସ୍ତାନୀ ଆନ୍ଦୋଳନର ପ୍ରମୁଖ ନେତା ଜର୍ନେଲ ସିଂହ ଭିନ୍ଦ୍ରନ୍‌ଓ୍ବାଲାଙ୍କୁ ଆତଙ୍କବାଦୀ ଭାବରେ ପ୍ରଦର୍ଶିତ କରାଯାଇଥାଏ, ତେବେ କଙ୍ଗନାଙ୍କ ସହ ସମାନ ଘଟଣା ଘଟିବ ଯାହା ଇନ୍ଦିରାଙ୍କ ସହ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ କଙ୍ଗନା ପୋଲିସ ସୁରକ୍ଷା ଲୋଡ଼ିଛନ୍ତି। ସେ ମଙ୍ଗଳବାର ଏକ୍ସ’ରେ ଏକ ପୋଷ୍ଟ କରି ହିମାଚଳ ପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ର ପୋଲିସ ଡିଜିଙ୍କୁ ଟ୍ୟାଗ୍‌ କରି ଭିଡିଓର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ‘ଏମର୍ଜେନ୍ସି’ ଫିଲ୍ମ ସେପ୍ଟେମ୍ବର ୬ରେ ରିଲିଜ୍‌ ହେବାକୁ ଥିବାବେଳେ ଏଥିରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

Share