ଉଦୟପୁରରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୨୧ା୧୧: ନୟାଗଡ଼ ସଦର ଥାନା ଅଧୀନ ଦୁର୍ଦ୍ଦୁରା ପଞ୍ଚାୟତର ଉଦୟପୁର ଗାଁରେ କଙ୍ଗାରୁ କୋର୍ଟର ଜୁଲମ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି। ଗାଁରେ ଖଟ ବୁଲାଇ ଜଣେ ବ୍ୟକ୍ତିଙ୍କୁ ଚୋର କହି କଙ୍ଗାରୁ କୋର୍ଟରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜରିମାନା ନ ଦେବାରୁ ଗାଁରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତଡି ଦିଆଯାଇଛି।ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଉଦୟପୁରରେ ଗୁଣନିଧି ଜେନାଙ୍କ ସୁନା ଅଳଙ୍କାର ଚୋରି ହୋଇଥିଲା। ଚୋରି ସୁନା ଅଳଙ୍କାରକୁ ଉଦ୍ଧାର ପାଇଁ ଗାଁକୁ ଗୁଣିଆ ଡକାଯାଇ ଗତ ୧୮ ତାରିଖରେ ଖଟ ବୁଲାଯାଇଥିଲା। ହେଲେ ଚୋର ଧରିବାରେ ଖଟ ସକ୍ଷମ ହୋଇ ନ ଥିଲା। ପୁଣି ୧୯ ତାରିଖରେ ଖଟ ଗାଁରେ ବୁଲିଥିଲା। ଖଟ ଯାଇ ଲୋକନାଥ ଜେନାଙ୍କ ଘରେ ଲାଗିବାରୁ ଚୋର ଧରା ହେଲା ବୋଲି ଗାଁରେ ପ୍ରଚାର ହେଲା। ପରେ ଲୋକନାଥଙ୍କ ଘର ସମ୍ମୁଖରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଗଲା। ଲୋକନାଥଙ୍କୁ ଘରୁ ଟେକି ନେଇ କୋଠ ଘରେ ତାଲା ପକାଇ ଦିଆଗଲା। ଗାଁରେ କଙ୍ଗାରୁ କୋର୍ଟ ବସିଲା। ସୁନା ଲୋକନାଥ ଚୋରି କରିଛନ୍ତି ବୋଲି କହି ଦୋଷ ମାନିବାକୁ ବାଧ୍ୟ କରାଗଲା। ଏପରିକି ୫ ଲକ୍ଷ ଟଙ୍କା ଜରିମାନା କରାଗଲା। ମୁଁ ଚୋରି କରି ନାହିଁ ବୋଲି ଲୋକନାଥ ବାରମ୍ବାର ସଭାରେ କହୁଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ବରଂ ଜରିମାନା ନ ଦେବା ଅଭିଯୋଗରେ ମାରପିଟ୍‌ କରି ଗାଁରୁ ତଡି ଦେଲେ। ଏନେଇ ଲୋକନାଥ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୭୫/୨୧) ରୁଜୁ କରି ତଦନ୍ତ କରୁଛି। ଏନେଇ ଲୋକନାଥ କୁହନ୍ତି, ସୁନା ଚୋରି ନେଇ ଖଟ କାହାରିକୁ ଧରି ପାରିଲା ନାହିଁ। ଏଣୁ ପୁଣି ଖଟ ବୁଲାଇ ମୋତେ ଚୋର କରାଯିବ ବୋଲି ଯୋଜନା କରାଗଲା। ଗୁଣିଆ ସହଯୋଗରେ ଖଟ ମାଧ୍ୟମରେ ମୋତେ ଚୋର ବୋଲି ଘୋଷଣା କରାଗଲା। ପୂର୍ବ ଶତ୍ରୁତାର କାରଣରୁ ମୋ ପରି ନିର୍ଦ୍ଦୋଷକୁ ଫସାଇ ଦିଆଗଲା, ପ୍ରକୃତ ଚୋର ଖସିଗଲା। ଏହି ଘଟଣାର ତଦନ୍ତ ସାପେକ୍ଷ। ଅନ୍ୟପକ୍ଷେ ଗାଁରେ ଖଟ ବୁଲାଯାଉଥିବା ବେଳେ ଜଣେ ମାନସିକ ବିକାରଗସ୍ତ ବୃଦ୍ଧ ସେଠାରେ ପହଞ୍ଚତ୍ ଯିବାରୁ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ସମ୍ପୃକ୍ତ ବୃଦ୍ଧ ହେଲେ ଓଡ଼ଗାଁ ଥାନା ଓସ୍ତିଆ ଗାଁର ଅନ୍ତର୍ଯ୍ୟାମୀ ବେହେରା(୭୫)। ଏ ନେଇ ଥାନାରେ ଅଭିଯୋଗ ହୋଇଛି।

Share