କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ ପ୍ରତିକ୍ରିୟା ଆସିଥିଲା। ସରକାରଙ୍କ ଏହି ପ୍ରତିକ୍ରିୟାକୁ ବଲିଉଡ କଳାକାର ଏବଂ କ୍ରିକେଟରଙ୍କ ଦ୍ୱାରା ବିପୁଳ ସମର୍ଥନ ମିଳିଛି। କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ କ୍ରିକେଟର ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଓପନର୍‌ ରୋହିତ ଶର୍ମା। ରୋହିତଙ୍କ ଟୁଇଟ୍‌ ଦେଖି ରାଗିଯାଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ରୋହିତ ଶର୍ମା ଟୁଇଟ୍‌ କରି ଲେଖିଛନ୍ତି ଯେ ଯେତେବେଳେ ଆମେ ସମସ୍ତେ ଏକଜୁଟ ହୋଇଥାଉ ସେତେବେଳେ ଭାରତ ସବୁବେଳେ ଶକ୍ତିଶାଳୀ ହୋଇ ରହିଥାଏ ଏବଂ ଏହାର ସମାଧାନ ଖୋଜି ବାହାର କରିବା ସମୟର ଆବଶ୍ୟକତା ରହିଛି। ଆମ ଦେଶର କଲ୍ୟାଣରେ କୃଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ମୁଁ ନିଶ୍ଚିତ ଯେ ସମାଧାନ ଖୋଜିବାରେ ସମସ୍ତେ ସେମାନଙ୍କର ଭୂମିକା ଗ୍ରହଣ କରିବେ। ରୋହିତ ଶର୍ମାଙ୍କ ଏହି ଟୁଇଟରେ କଙ୍ଗନା ରାଣାୱତ ବହୁତ ରାଗିଛନ୍ତି। ରୋହିତଙ୍କ ଟୁଇଟର ଜବାବ ଦେଇ କଙ୍ଗନା ସମସ୍ତ କ୍ରିକେଟରଙ୍କୁ କୁକୁର ସହିତ ତୁଳନା କରିଛନ୍ତି। ତେବେ କଙ୍ଗନାଙ୍କ ଏହି ଟୁଇଟକୁ ଟୁଇଟର ଦ୍ୱାରା ଡିଲିଟ କରାଯାଇଛି। କଙ୍ଗନା ଟୁଇଟ୍‌ କରି ଲେଖିଛନ୍ତି, କ୍ରିକେଟରମାନେ କୋଉ କୁଳର ନୁହେଁ। କୃଷକମାନେ ଏପରି ନିୟମ ବିରୁଦ୍ଧରେ କାହିଁକି ରହିବେ ଯାହା ସେମାନଙ୍କ ହିତ ପାଇଁ। ଏମାନେ ଆତଙ୍କବାଦୀ ଯିଏ ଏକ ଆତଙ୍କ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପପ ଗାୟକ ରିହାନା ଏବଂ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପରି ବିଶ୍ୱସ୍ତରୀୟ ସେଲିବ୍ରିଟିଙ୍କ ଉପରେ ଭାରତ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଛି। ବହୁ ବଲିଉଡ ଅଭିନେତା, କ୍ରିକେଟର ଏବଂ କେନ୍ଦ୍ର ମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।

Share