ବଜାରରେ ବିକ୍ରି ହେଉଛି ପିପିଇ କିଟ୍‌, କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧା କୃଷ୍ଣଙ୍କ ମୂର୍ତ୍ତି

ବାରାଣସୀ,୧୧।୮: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ପାଳନ କରାଯାଉଥିବା ଅନେକ ପର୍ବପର୍ବାଣୀ ତା’ର ଚମକ ହରାଇଛି। ଭାରତଭଳି ଏକ ଧର୍ମନିରପେକ୍ଷ ଦେଶରେ ବି ପ୍ରାୟ ସମସ୍ତ ପର୍ବପର୍ବାଣୀର ରଙ୍ଗ ମଉଳି ଯାଇଛି କହିଲେ ଚଳେ। ଚଳିତ ବର୍ଷ ଅଗଷ୍ଟ୧୧ ଓ ୧୨ ତାରିଖକୁ ଦେଶରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଭାବେ ପାଳନ କରାଯାଉଥିବା ବେଳେ ଏଥର କିନ୍ତୁ କରୋନା ପାଇଁ ଏହା ମଉଳି ଯାଇଛି। ଉତ୍ତର ପ୍ରଦେଶର ବାରାଣସୀରେ ଜନ୍ମାଷ୍ଟମୀ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ଏଥର ଏଥିରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେବେ ଏବର୍ଷ ସେଠାରେ କରୋନା ପାଇଁ କୃଷ୍ଣଙ୍କର ଯେଉଁ ମୂର୍ତ୍ତି ମିଳୁଛି ତାହା ସମସ୍ତଙ୍କ ଦୃଷ୍ଟି ଆକାର୍ଷଣ କରିଛି। ଅନେକ ସ୍ଥାନରେ କୃଷ୍ଣଙ୍କର ମୂର୍ତ୍ତି କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧିଥିବା ଦେଖାଯାଇଛି। ପୂର୍ବରୁ କୃଷ୍ଣଙ୍କ ଦେହରେ କେବଳ ବସ୍ତ୍ର ଓ ଗହଣା ଦେଖାଯାଉଥିବା ବେଳେ ଏବର୍ଷ କରୋନା ପାଇଁ କୃଷ୍ଣଙ୍କ ବେଶଭୂଷାରେ ପରିବର୍ତ୍ତନ ହୋଇଛି ଯାହା ତାଙ୍କୁ ସୁରକ୍ଷା ଦେବ ବୋଲି କୁହାଯାଉଛି। କରୋନା ମହାମାରୀ ସମୟରେ କୃଷ୍ଣଙ୍କୁ ପିପିଇ କିଟ୍‌, ସର୍ଜିକାଲ କ୍ୟାପ, ମାସ୍କ, ଫେସସିଲ୍ଡ ପିନ୍ଧାଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିବା ଜଣେ ବ୍ୟବସାୟୀ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଉକ୍ତ ବ୍ୟବସାୟୀ ଜଣଙ୍କ ନୂଆ ମୋଟର ଯାନ ନିୟମକୁ ନେଇ ଭଗବାନଙ୍କ ମୂର୍ତ୍ତି ପାଇଁ ହେଲ୍‌ମେଟ ତିଆରି କରି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥିବା ପ୍ରକାଶ କରିଛନ୍ତି।

Share