ଜିଲାରେ କାଞ୍ଜିଆହୁଦା ପରିକଳ୍ପନା ଦିଗହରା

ଜଗତସିଂହପୁର ଅଫିସ,୩୧ା୧୦: ମାସେ କି ବର୍ଷେ ନୁହେଁ, କେଉଁ ଆବହମାନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଷଣ୍ଢ, ଗାଈ, ଛେଳି, ମେଣ୍ଢା ଆଦି ପ୍ରାଣୀଙ୍କ ଯୋଗୁ ଲୋକଙ୍କ ଫସଲହାନିକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ଏଥିସହ ଏହି ପ୍ରାଣୀଙ୍କ ଯୋଗୁ କ୍ଷୟକ୍ଷତି ଯେପରି ନ ହେବ ସେନେଇ ପଦକ୍ଷେପ ନିଆଯାଉଥିଲା। କାଞ୍ଜିଆହୁଦା ଯୋଗୁ ବାସ୍ତବରେ ଅନେକ ଉପକାର ହେଉଥିଲା। ଏଥିଯୋଗୁ କୌଣସି ବ୍ୟକ୍ତି ପାଳିଥିବା ଗୋରୁଙ୍କୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। କାରଣ ଫସଲ ଖାଉଥିବା ବା ନଷ୍ଟ ହେଉଥିବା ଅଭିଯୋଗ ଉପରେ କାଞ୍ଜିଆହୁଦାରେ ନିୟୋଜିତ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ନେଉଥିଲେ। ଏଥିରେ ନିଯୁକ୍ତ କର୍ମଚାରୀ ତଥା ଦିଗ୍‌ଦାର ଗୋ-ମଇଁଷି ଆଦିଙ୍କୁ ଧରି ନେଇ କାଞ୍ଜିଆହୁଦାରେ ଭର୍ତ୍ତି କରି ଦେଉଥିଲେ। ତା’ପରେ ଗାଈ, ମଇଁଷି ମାଲିକ ଜରିମାନା ଦେଇ ମୁକୁଳାଉଥିଲେ। ଏହାଦ୍ୱାରା ଲୋକେ ସତର୍କ ହେବା ସହ ପୁନଃ ଭୁଲ୍‌ କରିବାକୁ ଡରୁଥିଲେ। ଯଦି କୌଣସି ବ୍ୟକ୍ତି ଗୋରୁଙ୍କୁ ଚରାଇବାକୁ ନେଉଥିଲେ ତେବେ ନିଜେ କିମ୍ବା କାହା ମାଧ୍ୟମରେ ଜଗୁଥିଲେ । ଅନ୍ୟପକ୍ଷରେ ସରକାର ସେମାନଙ୍କ ରହିବା, ଖାଇବା, ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ । କିନ୍ତୁ ଏବେ ଏହି ଯୋଜନା ପ୍ରହସନରେ ପରିଣତ ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ କାଞ୍ଜିଆହୁଦା ଆଉ ଦେଖିବାକୁ ମିଳୁନି। ଯେଉଁଥିରେ ଜଗତ୍‌ସିଂହପୁର ଜିଲା ଅନ୍ୟତମ। କାଞ୍ଜିଆହୁଦା ଓ ଗୋଶାଳା ଅଭାବରୁ ଜିଲାରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରି କି ଜଗତ୍‌ସିଂହପୁର ସହରରେ କାଞ୍ଜିଆହୁଦାର ଆବଶ୍ୟକତା ଥିଲେ ସୁଦ୍ଧା ତାହା କରାଯାଉନାହିଁ। ସହରାଞ୍ଚଳରେ ଗୋ-ମଇଁଷାଦି ପ୍ରାଣୀଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ ସୁଦ୍ଧା କୋର୍ଟଙ୍କ ଏହି ନିର୍ଦ୍ଦେଶ ଫାଇଲ ଭିତରେ ଲୁଚି ରହିଛି। ଗୋ ଚାଲାଣକାରୀମାନେ ଏହାର ଭରପୂର ଫାଇଦା ଉଠାଇ ଚାଲିଛନ୍ତି। ସେମାନେ ରାତିରେ ରାସ୍ତା ଉପରୁ ଏହି ପ୍ରାଣୀମାନଙ୍କୁ ଟ୍ରକ୍‌ରେ ଉଠାଇ ବାହାରକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଜଗତ୍‌ସିଂହପୁର ସହରର ଶ୍ରୀକୃଷ୍ଣ ଏକାଡେମୀ ପଡ଼ିଆ ପାର୍ଶ୍ୱରେ ଏକ କାଞ୍ଜିଆହୁଦା ବହୁ କାମରେ ଆସୁଥିଲା । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଯୋଜନା ଫସର ଫାଟିଯାଇଛି । ଏହାଦ୍ୱାରା ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଷଣ୍ଢ, ଗାଈ, ମଉଁଷି, ମାଙ୍କଡ଼ ଯୋଗୁ ବ୍ୟାପକ ଫସଲ ହାନି ଘଟୁଛି । ଏବେ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଗାଈଙ୍କ ଚାହିଦା ବଢ଼ିଛି । ତେଣୁ ଲୋକେ ଏ ପ୍ରକାର ଗାଈ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଗାଈ ଜନ୍ମ ଦେଲା ପରେ ମାଈ ଛୁଆ ହେଲେ ଖୁସି ହେବା ସହ ରଖୁଛନ୍ତି। ଅଣ୍ଡିରା ହେଲେ ଅନେକ ମହାଦେବଙ୍କ ନିକଟରେ ସମର୍ପଣ କରି ଦେଉଛନ୍ତି। ଏହାର କାରଣ ହେଉଛି ଆଗପରି ଆଉ ବିଲରେ ବଳଦର ଆବଶ୍ୟକତା ପଡୁନାହିଁ। ଟ୍ରାକ୍ଟର ସମେତ ଉନ୍ନତ କୃଷି ଯନ୍ତ୍ରପାତି ଚାରିଆଡ଼େ ବହୁଳ ବ୍ୟବହାର ହେଉଛି। ଅପରପକ୍ଷେ ଅଣ୍ଡିରା ବାଛୁରି ବଡ଼ ହୋଇ ଷଣ୍ଢ ହେଉଛନ୍ତି। ତା’ପରେ ସେମାନେ ଚାରିଆଡ଼େ ବୁଲି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଆଗେ କମ୍‌ସଂଖ୍ୟକ ଷଣ୍ଢ ଥିବା ବେଳେ ଏବେ ଏହି ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଇଛି। ଜଗତ୍‌ସିଂହପୁର ସହରରେ ୫୦ରୁ ଅଧିକ ଷଣ୍ଢ ବୁଲୁଛନ୍ତି। ସେମାନେ ଯେ କେବଳ ସହର ଓ ପାଖଆଖ ଜମିର ଫସଲ ହାନି କରୁଛନ୍ତି ତାହା ନୁହେଁ, ଲୋକଙ୍କ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛନ୍ତି। ଷଣ୍ଢ ଆକ୍ରମଣରେ ବିଗତ ଦିନରେ ସହରର ଏକାଧିକ ଲୋକ ଆହତ ହେବା ସହ କେତେଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ନଜିର ଅଛି। ଷଣ୍ଢ ଓ ଗାଈଙ୍କ ଯୋଗୁ ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି । ଲୋକେ ନିରାପଦରେ ଯାତାୟାତ କରିପାରୁନାହାନ୍ତି। ଢେଙ୍କାନାଳ ବାବନ୍ଧରେ ୪୬୨ ଏକର ଜାଗାରେ କେନ୍ଦ୍ର ସରକାରଙ୍କ ସହାୟତାରେ ଏକ କେନ୍ଦ୍ର କରାଯାଇଥିଲା। ଏହି କେନ୍ଦ୍ରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୁଲା ଷଣ୍ଢ ନିଆଯାଇଥାଏ। କିନ୍ତୁ ଉକ୍ତ କେନ୍ଦ୍ରଟି ଦୀର୍ଘବର୍ଷ ହେବ ବନ୍ଦ ହୋଇଯାଇଛି । ଏବେ ଶୁଣିବାକୁ ମିଳୁଛି କେହି ଏହି କେନ୍ଦ୍ରରେ ଷଣ୍ଢ ଛାଡିଲେ ଦୈନିକ ୨୦ ଟଙ୍କା ହିସାବରେ ବାର୍ଷିକ ୭,୨୦୦ ଟଙ୍କା ଜମା କରିବାକୁ ପଡ଼ିବ। ତାହା ନ ହେଲେ ସେଠାରେ ଷଣ୍ଢ ଛାଡ଼ିବା ସମ୍ଭବ ନୁହେଁ । ଏହି କାରଣରୁ ଅନେକେ ଷଣ୍ଢଙ୍କୁ ସ୍ଥାନାନ୍ତର କଥା ଚିନ୍ତା କରିପାରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା ସରକାର ଏହା ଉପରେ ନୀରବ। ଫଳରେ ଚାରିଆଡ଼େ ବୁଲା ଷଣ୍ଢ ଚିନ୍ତାର କାରଣ ହୋଇଛି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ (ସିଡିଭି) ଓ ବୀର କିଶୋର ପରିଡ଼ାଙ୍କୁ ପଚାରିବାରୁ ସେ କହିଥିଲେ ଜିଲାରେ ପାଖାପାଖି ୨,୦୮,୦୦୦ ଗାଈଗୋରୁ ଅଛନ୍ତି। ଅତୀତରେ ଯେତିକି ଗାଈ ଜନ୍ମ କରୁଥିଲେ ସେଥିରୁ ୫୦ ପ୍ରତିଶତ ଅଣ୍ଡିରା ହେଉଥିଲେ। କିନ୍ତୁ ଏବେ ଉନ୍ନତମାନର ଟିକା ପ୍ରୟୋଗ ଯୋଗୁ ଏହି ସଂଖ୍ୟା ଯଥେଷ୍ଟ କମିଛି। ତଥାପି ବୁଲା ଗାଈଗୋରୁଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ରଘୁନାଥପୁର ବ୍ଲକ ତାରପୁର ନିକଟରେ ଏକ ଅସ୍ଥାୟୀ କେନ୍ଦ୍ରରେ ରଖାଯିବା ପାଇଁ ଚିନ୍ତା କରାଯାଇଛି। ପିପୁଲ ଫର୍‌ ଆନିମଲ ଏହାର ଦାୟିତ୍ୱ ନେବ। ସେଠାରେ ଅସ୍ଥାୟୀ ଗୃହ ନିର୍ମାଣ ହେବ। ଏଥିସହ ଏରସମା ଓ ତାରପୁର ନିକଟରେ ୨ଟି ଗୋଶାଳା କରାଯିବ। ଆଗରୁ ଜିଲାରେ ପାରାଦୀପ ଓ ଜୟଶୋଳରେ ୨ଟି ଗୋଶାଳା କାମ କରୁଛି। ଜଗତ୍‌ସିଂହପୁର ସହର ନିକଟବର୍ତ୍ତୀ ଓଡ଼ିଶୋ ପାଖରେ ସରକାରଙ୍କ ତରଫରୁ ଏକ ଗୋଶାଳା ଓ କାଞ୍ଜିଆହୁଦା କରାଯିବାକୁ ସ୍ଥିର ହୋଇଛି। ଏନେଇ ୩ ଏକର ଜମି ଦରକାର। ସ୍ଥାନୀୟ ତହସିଲ ପକ୍ଷରୁ ଜମି ଯୋଗାଗଲେ ଗୃହ ନିର୍ମାଣ ଆରମ୍ଭ ହେବ। ଏଥିମଧ୍ୟରେ ସେ ଓ ଅତିରିକ୍ତ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ଆସିଛନ୍ତି। ଏହା ହେଲେ ସେଠାରେ ପାଖାପାଖି ୧୫୦ଟି ଗାଈ, ଗୋରୁ ରହିବା ପାଇଁ ବ୍ୟବସ୍ଥା ହେବ। ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଗତ ଦୁର୍ଗାପୂଜା ସମୟରେ ଜଗତ୍‌ସିଂହପୁର ପୌରାଞ୍ଚଳରୁ ୩୦ଟି ଗାଈଗୋରୁ ପାରାଦୀପ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏହି ସମୟରେ କେତେକ ମୁସଲ୍‌ମାନ ବ୍ୟକ୍ତି ବାଧା ସୃଷ୍ଟି କରିଥିଲେ। ଏହି ଗୋରୁ ସେମାନଙ୍କର ବୋଲି କହି ରାସ୍ତାରେ ଛାଡିଦେବାକୁ ଯୁକ୍ତି କରିଥିଲେ। ଜଗତ୍‌ସିଂହପୁର ପୌର ପରିଷଦ ସହାୟତାରେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇଥିଲା। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପ୍ରତ୍ତି ଏହି ସମସ୍ୟା ଚିନ୍ତାଜନକ। ଯେହେତୁ ଏନେଇ ଜମି ଦରକାର ତେଣୁ ଜିଲାପାଳଙ୍କ ସହ ଆଲୋଚନା କରି କାଞ୍ଜିଆହୁଦା କରିବା ପାଇଁ ପଦକ୍ଷେପ ନେବୁ।

Share