ଲକ୍ଷ୍ନୌ,୭।୧: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ବ୍ୟବସାୟୀଙ୍କ ହତ୍ୟା ପରେ ସମସ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ହତ୍ୟା, ଆଘାତ ଦେବା ଓ ଅପରାଧିକ ଷଡ଼ଯନ୍ତ୍ର ଦଫା ଲଗାଯାଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଗତ ନଭେମ୍ବରରେ ସିବିଆଇ ଏହି ମାମଲା ହାତକୁ ନେଇଥିଲା।
ସେପ୍ଟେମ୍ବରରେ ୩୬ ବର୍ଷୀୟ ମନୀଷ ଗୋରଖପୁର ହୋଟେଲରେ ଏକ ବନ୍ଧୁଙ୍କୁ ଭେଟିଥିଲେ। ରାତି ଅଧରେ ପୋଲିସ ଦଳ ସେମାନଙ୍କ ରୁମ୍ରେ ପହଞ୍ଚିଥିଲା। ମୃତକଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ହୋଟେଲ ରୁମ୍ରେ ପୋଲିସ ଅଧିକାରୀ ମନୀଷଙ୍କୁ ନିର୍ଯାତନା ଦେଇଥିଲେ। ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିଲେ ମଧ୍ୟ ତାଙ୍କୁ ବିଳମ୍ବରେ ହସ୍ପିଟାଲ ନିଆଯାଇଥିଲା। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଚାର୍ଜଶିଟ୍ରେ ସିବିଆଇ ପୂର୍ବତନ ଷ୍ଟେଶନ ହାଉସ ଅଫିସର ଜଗତ ନାରାୟଣ ସିଂ, ପୂର୍ବତନ ମୁଖ୍ୟ କନେଷ୍ଟବଳ କମ୍ଲେଶ ସିଂ ଯାଦବ, ସବ୍-ଇନସପେକ୍ଟର୍ସ ଅକ୍ଷୟ କୁମାର ମିଶ୍ର, ବିଜୟ ଯାଦବ ଓ ରାହୁଲ ଦୁବେଙ୍କ ନାମ ଉଲ୍ଲେଖ କରିଛି।