ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ

କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା ରହିଛି। ସେହିପରି ଏହା ଉତ୍ତରପ୍ରଦେଶ କାନପୁରର ଚମଡ଼ା ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି। ସହରରେ ପ୍ରାୟ ୧୫୦କୋଟି ଟଙ୍କା ରପ୍ତାନି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଏହାଦ୍ୱାରା କାନପୁରର ଚମଡ଼ା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇପାରେ। ପରିସ୍ଥିତିକୁ ଦେଖି ସହରର ସମସ୍ତ ଚମଡ଼ା ରପ୍ତାନିକାରୀ ବିକଳ୍ପ ରାସ୍ତା ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ହଠାତ୍‌ ପରିବର୍ତ୍ତିତ ବୈଶିକ ପରିସ୍ଥିତି ଯୋଗୁ ଖ୍ରୀଷ୍ଟମାସ ଅବସରରେ ବିଶ୍ୱ ବଜାର ପ୍ରଭାବିତ ହେବ ବୋଲି ଚମଡା ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।

ପ୍ରାୟ ୧୦୦୦କୋଟିରୁ ଅଧିକ କ୍ଷତି ହୋଇପାରେ ବୋଲି ବ୍ୟବସାୟୀମାନେ ଚିନ୍ତାରେ ଅଛନ୍ତି। ଉତ୍ତରପ୍ରଦେଶର କାନପୁର ଚମଡ଼ା ଶିଳ୍ପ ପାଇଁ ଜଣାଶୁଣା। ଏଠାରୁ ଚମଡା ବୁଟ, ଜୋତା, ବ୍ୟାଗ ଏବଂ ଅନ୍ୟାନ୍ୟ ଚମଡ଼ା ସାମଗ୍ରୀ ବହୁ ପରିମାଣରେ ଉତ୍ପାଦିତ ହୋଇ ସାରା ବିଶ୍ୱରେ ରପ୍ତାନି ହୁଏ।ଏଥିରେ ଛଅରୁ ଆଠ ଶହ କୋଟି ମୂଲ୍ୟର ସାମଗ୍ରୀ କେବଳ ଇସ୍ରାଏଲକୁ ପଠାଯାଇଥାଏ। ଏହି ବର୍ଷ ମଧ୍ୟ ଆଠ ଶହ କୋଟିରୁ ଅଧିକ ରପ୍ତାନୀ ହୋଇଥା’ନ୍ତା।

ସାମ୍ପ୍ରତିକ ପରିସ୍ଥିତିରେ, ସେଠାରେ ଥିବା ବ୍ୟବସାୟୀମାନେ ସାମଗ୍ରୀ ଅର୍ଡର କରିବାକୁ ଦୂରେଇ ଯାଉଛନ୍ତି କିମ୍ବା ଅର୍ଡର ବାତିଲ କରୁଛନ୍ତି। ରପ୍ତାନିକାରୀଙ୍କ କହିବାନୁସାରେ, ଯଦି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହେ ତେବେ ଚମଡା ବ୍ୟବସାୟ ବନ୍ଦ ହୋଇଯିବ।

Share