Categories: ଜାତୀୟ

୩ ଦିନର ବୋହୁଙ୍କୁ ବିକାଶଙ୍କ ସହଯୋଗୀ ଭାବି ଉଠାଇ ଆଣିଲା କାନପୁର ପୋଲିସ, ଆଉ ତା’ ପରେ..

ଲକ୍ଷ୍ନୌ,୧୪।୭: ଉତ୍ତରପ୍ରଦେଶର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ପୋଲିସ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବାରେ ଲାଗିଛି। ଏହି କ୍ରମରେ ତିନି ଦିନ ତଳେ ବିବାହ କରିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେ ବିକାଶଙ୍କ ଭଣଜା ଅମରଙ୍କ ସ୍ତ୍ରୀ ଖୁସି ବୋଲି ଜଣାପଡ଼ିଛି। ଗିରଫ ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ପୋଲିସ ପୂର୍ବରୁ ୮ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଅମର ଦୁବେଙ୍କୁ ଅନ୍ୟତମ ଅଭିଯୁକ୍ତ ବୋଲି ପ୍ରକାଶ କରିଥିଲା। ୨୯ ଜୁନ୍‌ରେ ଅମରଙ୍କ ବିବାହ ହୋଇଥିଲା। ଏହାର ଠିକ୍‌ ୩ ଦିନ ପରେ ଅମର ବିକାଶଙ୍କ ସହ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ଫେରାର ହୋଇଯାଇଥିଲେ। ଏହା ପରେ ପୋଲିସ ଖୁସିଙ୍କୁ ସହଯୋଗୀ ଭାବି ଜେଲ ପଠାଇ ଦେଇଥିଲା। ହେଲେ ସେ ଉକ୍ତ ୩ ଦିନ ଘରୁ ବାହାରି ନ ଥିବା ପୋଲିସ ଜାଣିବାକୁ ପାଇଛି।

ଅପରପକ୍ଷେ ପୋଲିସ ଜୁଲାଇ ୮ରେ ଅମରଙ୍କୁ ହମିରପୁର ଅଞ୍ଚଳରେ ଏନ୍‌କାଉଣ୍ଟର କରିଛି। ଏହାପରେ ବିକାଶଙ୍କ ଏନ୍‌କାଉଣ୍ଟର ହୋଇଥିଲା। ପୋଲିସ ପରେ ବିକାଶଙ୍କ ସ୍ତ୍ରୀ ରିଚାଙ୍କୁ ନିର୍ଦ୍ଦୋଶ କହି ଛାଡ଼ିଛି। ଏଣୁ ଖୁସିଙ୍କୁ କାହିଁକି ଛଡ଼ାଯାଉନାହିଁ ବୋଲି ପରିବାରଲୋକେ ପୋଲିସ ଉପରେ ଅଭିଯୋଗ କରୁଛନ୍ତି। ଏବେ ପୋଲିସ ତାଙ୍କୁ ଜେଲରୁ ଛାଡ଼ିବାକୁ ବନ୍ଦୋବସ୍ତ କରୁଥିବା ଜଣାପଡ଼ିଛି।

Share