କଣ୍ଟାବାଞ୍ଜି ଜିଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି,୫।୯(ଗୁରୁଦୟାଲ ହଂସ): କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ସ୍ବତନ୍ତ୍ର ରାଜସ୍ବ ଜିଲା ମାନ୍ୟତା ଦାବିନେଇ ଜିଲା ସଂଘର୍ଷ ସମିତି ପକ୍ଷରୁ ମଙ୍ଗଳବାର କଣ୍ଟାବାଞ୍ଜି ସହର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜିି ସହରର ସମସ୍ତ ଦୋକାନ, ବଜାର, ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି। ଜରୁରିକାଳୀନ ସେବା ଏବଂ ରେଳ ଚଳାଚଳରେ କୌଣସି ପ୍ରଭାବ ପଡ଼ି ନାହିଁ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ବ୍ଲକରେ
ମଧ୍ୟ ଜିଲା ସଂଘର୍ଷ ସମିତିର ପ୍ରତିନିଧିମାନେ ସମର୍ଥନକାରୀଙ୍କ ସହ ବନ୍ଦ ପାଳନ କରିଛନ୍ତି ା ଏପରି କି କଣ୍ଟାବାଞ୍ଜି ଉପକଣ୍ଠସ୍ଥ ବେଲପଡ଼ା ବ୍ଲକର ପଣ୍ଡରିଯୋର, କାନୁଟ, ସଲଣ୍ଡି, ଭରୁପାଲି, ସରମୁହାଣ, ବାଗଦୋର, ବେଲପଡା, ଘାଗୁର୍ଲି, ସୁଲେକେଲା, ବାହାବଲ ଏବଂ ଖପ୍ରାଖୋଲ ବ୍ଲକର ଲାଠୋର, ଟଙ୍କପାଣି, ଗୁର୍ଜିଭଟା, ବେନ୍ଦେର ପଞ୍ଚାୟତରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଇ ବନ୍ଦ ପାଳନ କରାଯାଉଛି। ଶତାଧିକ ଅନୁଷ୍ଠାନର କର୍ମକର୍ତ୍ତା ଜିଲା ଦାବିରେ ନଗର ପରିକ୍ରମା କରି ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଛନ୍ତି; ଫଳରେ ଯାତାୟାତ ବନ୍ଦ ରହିଛି।

Share