Categories: ଖେଳ

ସୂର୍ଯ୍ୟ କୁମାରଙ୍କୁ ପ୍ରଶଂସା କଲେ କପିଲ ଦେବ, କହିଲେ ଏଭଳି ଖେଳାଳିଙ୍କୁ ପ୍ରଣାମ…

କୋଲକାତା,୯।୧ : ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି -୨୦ ରେ ଶତକ ହାସଲ କରିବା ପରେ ଭାରତର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଶ୍ରୀଲଙ୍କା ବୋଲରମାନଙ୍କୁ ଖାତିର ନକରି ନିଜର ବିସ୍ଫୋରକ ବ୍ୟାଟିଂ କରି ସେ ୫୧ ବଲରେ ୧୧୨ ରନ କରି ଅପରାଜିତ ରହିଥିଲେ। ସେ ୭ ଚୌକା ଓ ୯ ଛକା ମାରିଥିଲେ। ଏହା ହେଉଛି ସୂର୍ଯ୍ୟକୁମାରଙ୍କ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ଶତକ। ସାତ ମାସ ମଧ୍ୟରେ ସେ ଏହି ଶତକ କରିଛନ୍ତି।

ମାର୍ଚ୍ଚ ୨୦୨୧ ରେ ଡେବ୍ୟୁ କରିବା ପରଠାରୁ ସେ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଖୁବ କମ ସମୟ ମଧ୍ୟରେ କ୍ରିକେଟ ପ୍ରଶଂସକ ତଥା ଭେଟେରାନମାନଙ୍କ ହୃଦୟ ଜିତିଛନ୍ତି। କାରଣ ତାଙ୍କର ବ୍ୟାଟିଂ ଏବଂ ସୃଜନଶୀଳ ସଟ-ଖେଳ ସଭିଙ୍କୁ ପସନ୍ଦ ଆସିଛି। ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଅଲରାଉଣ୍ଡର କପିଲ ଦେବ ମଧ୍ୟ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଲାଇନ ନେଇ ପ୍ରଭାବିତ ହୋଇଛନ୍ତି। କପିଲ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଶୈଳୀକୁ ପ୍ରଶଂସା କରିଛନ୍ତି। ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ କପିଲ କହିଛନ୍ତି, ବେଳେବେଳେ ସୂର୍ଯ୍ୟକୁମାରଙ୍କ ଇନିଂସକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ମଧ୍ୟ କମ ପଡ଼ିଥାଏ। ଯେତେବେଳେ ଆମେ ସଚିନ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଦେଖୁ, ଆମେ ଅନୁଭବ କରୁ ଯେ ଦିନେ ସୂର୍ଯ୍ୟ କୁମାର ନିଶ୍ଚିତ ଭାବରେ ଏହି ତାଲିକାର ଏକ ଅଂଶ ହେବେ।

କପିଲ ଆହୁରି କହିଛନ୍ତି, ଭାରତରେ ବାସ୍ତବରେ ବହୁତ ପ୍ରତିଭା ଅଛନ୍ତି। ସୂର୍ଯ୍ୟକୁମାର ଯେଉଁ ପ୍ରକାର ଖେଳ ଖେଳନ୍ତି, ତାହା ବୋଲରଙ୍କୁ ଭୟଭୀତ କରିଥାଏ। ସେ ଫାଇନ ଲେଗ ଉପରେ ଚମତ୍କାର ଲାପ ସଟ ହିଟ କରନ୍ତି। ସେ ଛିଡା ହୋଇ ମିଡ ଅନ ଏବଂ ମିଡ ୱିକେଟ ଉପରେ ଛକା ମାରିପାରନ୍ତି। ଏହା ବୋଲରମାନଙ୍କ ପାଇଁ ସଙ୍କଟ ସୃଷ୍ଟି କରିଥାଏ। ମୁଁ ଏବି ଡି ଭିଲିୟର୍ସ, ଭିଭିଆନ ରିଚାର୍ଡସ, ସଚିନ, ବିରାଟ, ରିକି ପଣ୍ଟିଂ ଭଳି ମହାନ ବ୍ୟାଟ୍ସମ୍ୟାନଙ୍କୁ ଦେଖିଛି କିନ୍ତୁ ଖୁବ କମ ଲୋକ ଏହିପରି ସଠିକତା ସହିତ ବଲକୁ ହିଟ କରିପାରିଥାନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରଣାମ। ଏହିପରି ଖେଳାଳିମାନେ ଶତାବ୍ଦୀରେ ଥରେ ଆସନ୍ତି ।

Share