Categories: ଖେଳ

ଭାରତୀୟ ଦଳକୁ ଚେତାବନୀ ଦେଲେ କପିଳ ଦେବ

ନୂଆଦିଲ୍ଲୀ,୨୮।୮: ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆହତରୁ ସୁସ୍ଥ ଥିବା ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କୁ ଟିମ ଇଣ୍ଡିଆ ଦଳରେ ସ୍ଥାନ ଦେଇଛି। ଉଭୟ ଖେଳାଳି ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବେ। ରାହୁଲି ହାମଷ୍ଟ୍ରିଂ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ପ୍ରାରମ୍ଭିକ କିଛି ମ୍ୟାଚରୁ ବଞ୍ଚିତ ହେବେ। ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଆୟର ଏବଂ ରାହୁଲଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ସେ ଟିମ ଇଣ୍ଡିଆକୁ ମଧ୍ୟ ଚେତାବନୀ ଦେଇଛନ୍ତି।
କପିଳ ଦେବ କହିଛନ୍ତି, ବିଶ୍ୱକପ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ପଡ଼ିଆରେ ଟେଷ୍ଟ କରାଯିବା ଉଚିତ୍‌। ଫିଟନେସ ଟେଷ୍ଟ କରିବାକୁ ଯେକୌଣସି ଖେଳାଳିଙ୍କ ପାଇଁ ଏସିଆ କପ ସର୍ବଶ୍ରେଷ୍ଠ ଟୁର୍ନାମେଣ୍ଟ। ବିଶ୍ୱକପ ବହୁତ ନିକଟତର ଏବଂ ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳିଙ୍କ ଫିଟନେସ ଟେଷ୍ଟ ହେବା ଉଚିତ୍‌।
ଆଘାତରୁ ଫେରିଥିବା କ୍ରିକେଟରଙ୍କ ବିଷୟରେ କପିଲ ଦେବ କହିଛନ୍ତି, ଏପର୍ଯ୍ୟନ୍ତ ସମସ୍ତ ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ଯଦି ସେ ସିଧାସଳଖ ବିଶ୍ୱକପରେ ଖେଳନ୍ତି ଏବଂ ପୁନର୍ବାର ଆହତ ହୁଅନ୍ତି ତେବେ କ’ଣ ହେବ? ସମଗ୍ର ଦଳ ଏଥିପାଇଁ କ୍ଷତି ସହିବ। ଏହି ଖେଳାଳିମାନେ ଅନ୍ତତଃ ପକ୍ଷେ ଏସିଆ କପରେ ବ୍ୟାଟିଂ ଏବଂ ବୋଲିଂ କରିବାର ସୁଯୋଗ ଦିଆଯାଉ। ଏହା ସେମାନଙ୍କୁ ପୁନର୍ବାର ଟ୍ରାକ୍‌କୁ ଫେରିବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଏକ ସୁଯୋଗ ଦେବ।

Share