ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍‌ ଠାରୁ ଆରମ୍ଭ କରି ଛୋଟ ପରଦାର ଅନେକ କଳାକାର ଉପସ୍ଥିତ ହୋଇ ନିଜ ଫିଲ୍ମର ପ୍ରମୋଶନ କରିଥାନ୍ତି। ଖାଲି ଦେଶରେ ନୁହେଁ, ସମଗ୍ର ବିଶ୍ୱର ଲୋକମାନେ ଏହି ଶୋ’କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ଲକ୍‌ଡାଉନ୍‌ ପରେ ଏହି ଶୋ’ ପୁଣି ଥରେ ଆରମ୍ଭ ହୋଇ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ମାତ୍ର କପିଲଙ୍କ ପ୍ରଶଂସକଙ୍କ ପାଇଁ ଗୋଟିଏ ବଡ଼ ଖରାପ ଖବର। ଦ କପିଲ ଶର୍ମା ଶୋ’ର ଏହି ସିଜିନ୍‌ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଛି।
ଏକ ରିପୋର୍ଟ ଅନୁଯାୟୀ, ଦ କପିଲ ଶର୍ମା ଶୋ’ର ଏହି ସିଜିନ୍‌ ଏବେ ଅଫ୍‌ ଏୟାର ହେବାକୁ ଯାଉଛି। ଏ ନେଇ ଖୁବ୍‌ଶୀଘ୍ର ଅଫିସିଆଲି ଘୋଷଣା କରାଯିବ। ଏହି ସିଜିନ୍‌ ବନ୍ଦ ହେବା ପରେ ଏହାର ଦ୍ୱିତୀୟ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହି ଶୋ’ ବହୁତ ସଫଳ ହେବା ସହ ପ୍ରଶଂସକଙ୍କ ମଧ୍ୟରେ ଭଲ ଚାହିଦା ମଧ୍ୟ ରହିଛି। ମାତ୍ର ଶୋ’ର ନୂଆ ଏପିସୋଡ୍‌ ପାଇଁ ପ୍ରଶଂସକଙ୍କୁ ଅପେକ୍ଷା କରିବାକୁ ପଡ଼ିବ।
ଶୋ’ରେ କପିଲଙ୍କ ସମେତ ଭାରତୀ ସିଂହ, କିକୁ ଶାରଦା, କୃଷ୍ଣା ଅଭିଷେକ ଏବଂ ଅର୍ଚ୍ଚନା ପୂରଣ ସିଂହଙ୍କୁ ଦେଖିବାକୁ ମିଳିଥାଏ। ଲକ୍‌ଡାଉନ୍‌ରେ ପରେ ଏହି ଶୋ’ଦର୍ଶକଙ୍କ ବିନା ପ୍ରସାରିତ ହେଉଛି। ଏହା ସତ୍ତ୍ୱେ ମଧ୍ୟ ଶୋ’ର ଲୋକପ୍ରିୟତା କମ୍‌ ହୋଇ ନାହିଁ।

Share