ଫୁଡ୍‌ ଡେଲିଭରୀ ବୟ ଚରିତ୍ରରେ କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘କିସ-କିସ କୋ ପ୍ୟାର୍‌ କରୁଁ’ ଓ ‘ଫିରଙ୍ଗି’ ଭଳି ଫିଲ୍ମରେ କାମ କରିବା ପରେ ଏବେ ତାଙ୍କର ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି। ଭେଟେରାନ ଫିଲ୍ମ ନିର୍ମାତା ନନ୍ଦିତା ଦାସ ଓ କପିଲ ଶର୍ମାଙ୍କ ମିଳିତ ସହଯୋଗରେ ଏହି ଫିଲ୍ମ ତିଆରି ହେବାକୁ ଯାଉଛି। ଏହି ଫିଲ୍ମରେ କପିଲ ଶର୍ମା ଏଭଳି କିଛି ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି, ଯାହା ପୂର୍ବରୁ କେବେ ସେ କରିନାହାନ୍ତି। ସୂଚନାଯୋଗ୍ୟ, ନିକଟରେ କପିଲ ଶର୍ମା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସହଯୋଗିତା ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ କପିଲ ଫୁଡ୍‌ ଡେଲିଭରୀ ବୟ ଭୂମିକାରେ ନଜର ଆସିବେ। ଆଉ କପିଲଙ୍କ ବିପକ୍ଷରେ ସୁହାନା ଗୋସ୍ବାମୀଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ସବୁଠାରୁ ବିଶେଷ କଥା ହେଲା ଚଳିତ ମାସ ଶେଷରେ ଓଡିଶାର ଭୁବନେଶ୍ୱରରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ଅନ୍ୟପଟେ ନନ୍ଦିତା ଦାସ ଏହି ଫିଲ୍ମ ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ଆଖିରେ ଲୁଚି ରହିଥିବା କଥାକୁ ସେ ଏହି ଫିଲ୍ମ ମାଧ୍ୟମରେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ଆଉ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ଏଥିସହ କପିଲଙ୍କୁ ପ୍ରଶଂସା କରିବାକୁ ଯାଇ ସେ କହିଛନ୍ତି, ଜଣେ ସାଧାରଣ ମଣିଷକୁ ପ୍ରତିନିଧିତ୍ୱ କରିବାର ସମ୍ପୂର୍ଣ୍ଣ କ୍ଷମତା କପିଲଙ୍କ ପାଖରେ ରହିଛି। ଆଉ ସେ ବହୁ ନିଷ୍ଠାଭାବେ କରିପାରିବେ ବୋଲି ମୋର ବିଶ୍ୱାସ ବୋଲି ସେ କହିଛନ୍ତି। ଅପରପକ୍ଷେ ନନ୍ଦିତା ଓ କପିଲଙ୍କ ସହ କାମ କରିବା ପାଇଁ ସୁହାନା ବେଶ୍‌ ଉତ୍ସାହିତ ଅଛନ୍ତି। କପିଲଙ୍କ ପୂର୍ବରୁ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କିମ୍ବା ବ୍ୟବସାୟ କରି ନ ଥିବା ବେଳେ ପ୍ରଶଂସକ ଏହି ଫିଲ୍ମକୁ ବେଶ୍‌ ଉତ୍ସାହର ସହ ପ୍ରତିକ୍ଷା କରିଛନ୍ତି।

Share