ମହାପ୍ରଭୁଙ୍କୁ ଦର୍ଶନ କଲେ କପିଲ

ପୁରୀ ଅଫିସ, ୨୨ା୩:କମେଡ଼ି କିଙ୍ଗ୍‌ ଭାବେ ପରିଚିତ ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। କପିଲ ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଭିତର କାଠ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ମା’ ମହାଲକ୍ଷ୍ମୀ, ମା’ ବିମଳାଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିଥିଲେ। କିଛି ସମୟ ଶ୍ରୀମନ୍ଦିର ପରିସରରେ ଅତିବାହିତ କରିବା ପରେ ସିଂହଦ୍ୱାର ଦେଇ ଫେରିଥିଲେ। ସେ ପ୍ରଥମ ଥର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ପରମ ଶାନ୍ତି ଅନୁଭବ କରୁଥିବା କପିଲ କହିଛନ୍ତି। ଶ୍ରୀମନ୍ଦିର ସେବାୟତମାନଙ୍କ ପକ୍ଷରୁ ତାଙ୍କୁ ମହାପ୍ରସାଦ, ଫୁଲ, ତୁଳସୀ ଏବଂ ପତିତପାବନ ବାନା ପ୍ରଦାନ କରାଯାଇଥିଲା। ତେବେ ଦର୍ଶନ ସାରି ଫେରିବା ପରେ କପିଲ ହଠାତ୍‌ ସିଂହଦ୍ୱାର ନିକଟରେ ଦୌଡ଼ିଥିଲେ। ଫଳରେ ସୁରକ୍ଷା କର୍ମୀମାନେ ତାଙ୍କୁ ଚାରିପାଖରୁ ଘେରିଯାଇଥିଲେ। ସେହିପରି କପିଲଙ୍କ ସହ ଅନେକ ସେବାୟତ ଓ ଭକ୍ତ ସେଲ୍ପି ନେଉଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ସମ୍ପ୍ରତି ଏକ ହିନ୍ଦୀ ଚଳଚ୍ଚିତ୍ରରେ ଶୁଟିଂ ପାଇଁ କପିଲ ଓଡ଼ିଶା ଆସି ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି।

Share