Categories: ଜାତୀୟ

ଫର୍ମ ୧୭ କ’ଣ, ଯାହାର ଡାଟା ଅପ୍‌ଲୋଡ କରୁନାହାନ୍ତି ନିର୍ବାଚନ କମିଶନ? ଏବେ ପ୍ରଶ୍ନ ଉଠାଇଲେ ସିବ୍ବଲ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ୫ ପର୍ଯ୍ୟାୟର ମତଦାନ ଶେଷ ହୋଇଛି। ସମସ୍ତ ଦଳ ବାକିଥିବା ୨ ପର୍ଯ୍ୟାୟ ମତଦାନ ଲାଗି ପ୍ରସ୍ତୁତି ଜୋରଦାର କରୁଛନ୍ତି। ଏସବୁ ମଧ୍ୟରେ ଲଗାତାର ଭାବେ ନିର୍ବାଚନ କମିଶନ ଅଭିଯୋଗ ଏବଂ ବିବାଦକୁ ଆସୁଥିବା ଦେଖାଯାଉଛି। ପ୍ରଥମରୁ କେଉଁଠି କେତେ ମତଦାନ ହେଲା ତାର ସଂଖ୍ୟାରେ ବିଳମ୍ବକୁ ନେଇ କମିଶନ ଉପରେ ଅଭିଯୋଗ କରାଯାଉଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏବେ ରାଜ୍ୟ ସଭା ଏମ୍‌ପି ତଥା ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନର ଅଧ୍ୟକ୍ଷ କପିଲ ସିବ୍ବଲ ଖବରଦାତା ସମ୍ମିଳନୀ କରି ନିର୍ବାଚନ କମିଶନଙ୍କ ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଘୋଷଣାପତ୍ର ଦାଖଲ କରି କହିଛନ୍ତି ଯେ ଫର୍ମ ୧୭ ସିର ଡାଟା ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ କରିବା ଲାଗି କୌଣସି ଆଇନ ବ୍ୟବସ୍ଥା ନାହିଁ। କମିଶନଙ୍କ ଏଭଳି ଯୁକ୍ତିକୁ ସିବ୍ବଲ ଆଶ୍ଚର୍ଯ୍ୟଜନକ ବୋଲି ସିବ୍ବଲ କହିଛନ୍ତି। ଏହାଦ୍ୱାରା କିଛି ହେରାଫେରିର ସନ୍ଦେହ ଉପୁଜୁଛି। ରାଜନୈତିକ ଦଳଗୁଡ଼ିକ ଏନେଇ ଆଶଙ୍କା ପ୍ରକାଶ କରୁଛନ୍ତି।
ସିବ୍ବଲ କହିଛନ୍ତି, ଯଦି ଗଣାଯାଇଥିବା ଭୋଟ ଅପ୍‌ଲୋଡ କରାଯାଏ ତେବେ ଦେଇଥିବା ଭୋଟ କାହିଁକି ନୁହେଁ। ଏଭଳି କମିଶନ ଉପରେ ଆମେ କିଭଳି ଭରସା କରିବୁ। ଏବେ ଆମକୁ ବୋଧହୁଏ ଭଗବାନଙ୍କ ପାଖକୁ ଯିବାକୁ ହେବ। ମୋଦି ହିଁ ଭଗବାନ, ହଜାର ହଜାର ବର୍ଷ ପରେ ଭଗବାନ ଆସିଛନ୍ତି। ସମସ୍ତ ଦଳକୁ ସେହି ଭଗବାନଙ୍କ ପାଖକୁ ଯାଇ କହିବା ଉଚିତ ଯେ ୮୦ କୋଟି ଲୋକ ଦ୍ରାରିଦ୍ର ଅଛନ୍ତି, ସେମାନଙ୍କ ଉଦ୍ଧାର କରନ୍ତୁ। ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଦିଅନ୍ତୁ। ଭଗବାନ ସବୁକିଛି ତ୍ୟାଗ କରିଦେଇଥିଲେ।
ଫର୍ମ ୧୭ ସି କ’ଣ?
ମୋଟ ମତଦାତା ଏବଂ ମୋଟ ଭୋଟରଙ୍କ ଡାଟା ଦୁଇଟି ଫର୍ମରେ ପୂରଣ କରାଯାଇଥାଏ। ଏହା କଣ୍ଡକ୍ଟ ଅଫ୍‌ ଇଲେକ୍ସନ ରୁଲ୍ସ ୧୯୬୧ ଅଧୀନରେ ହୋଇଥାଏ। ପ୍ରଥମ ଫର୍ମକୁ ୧୭ଏ କୁହାଯାଏ ଏବଂ ଦ୍ୱିତୀୟ ଫର୍ମକୂ ୧୭ସି କୁହାଯାଏ। ୧୭ଏରେ ମତଦାନ ଅଧିକାରୀ ବୁଥ୍‌କୁ ଆସୁଥିବା ପ୍ରତ୍ୟେକ ଭୋଟରଙ୍କ ସମସ୍ତ ସୂଚନା ଦିଆଯାଇଥାଏ। ଏହାଛଡ଼ା ରେଜିଷ୍ଟାରରେ ଦସ୍ତଖତ ହୋଇଥାଏ। ଏହାପରେ ଫର୍ମ ୧୭ସି ପୂରଣ କରାଯିବା ସମୟ ଆସିଥାଏ। ଏହି ଫର୍ମ ମତଦାନ ଶେଷରେ ପୂରଣ କରାଯାଇଥାଏ।
୧୯୬୧ ନିୟମ ଅନୁଯାୟୀ ୪୯ଏସ୍‌ ମୁତାବକ, ମତଦାନ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଫର୍ମ ୧୭ସିରେ ମୋଟ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତି। ଏହା ୨ ଭାଗରେ ବିଭକ୍ତ ହୋଇଥାଏ। ପ୍ରଥମ ଭାଗରେ ଦାଖଲ ଭୋଟ ହିସାବ ହୋଇଥାଏ ତ ଦ୍ୱିତୀୟ ଭାଗରେ ଗଣାଯିବାର ଫଳାଫଳ ଥାଏ। ପ୍ରଥମ ଭାଗକୁ ଭୋଟଗ୍ରହଣ ଦିନ ପୂରଣ କରାଯାଇଥାଏ, ଯାହାର ସୂଚନା ଦେବାର ଦାବି ଉପସ୍ଥାପନ ହେଉଛି। ଏହି ଫର୍ମରେ ପୋଲିଂ ଷ୍ଟେଶନ ନାମ, ନମ୍ବର, ବ୍ୟବହାରକରାଯାଇଥିବା ଇଭିଏମ୍‌ ଆଇଡି ନମ୍ବର, ଉକ୍ତ ପୋଲିଂ ଷ୍ଟେଶନରେ ମୋଟ ଯୋଗ୍ୟ ଭୋଟରଙ୍କ ସଂଖ୍ୟା, ପ୍ରତି ଭୋଟିଂ ମେଶିନରେ ଦିଆଯାଇଥିବା ଭୋଟ ଭଳି ସୂଚନା ଥାଏ।
ତେବେ ଏଡିଆର୍‌ ଏବଂ କମନ୍‌ କଜ୍‌ ସୁପ୍ରିମକୋର୍ଟର ବୁଥ୍‌ରେ ମତଦାନ ସମ୍ବନ୍ଧୀତ ଫର୍ମ ୧୭ସିର ସ୍କାନ କପି ଅପଲୋଡ କରିବା ସମ୍ବନ୍ଧୀୟ ଯାଚିକା ଦାଖଲ କରିଥିଲେ। ଏହି ଯାଚିକାରେ ନିର୍ବାଚନ କମିଶନ ମତଦାନରେ ଭୋଟରଙ୍କ ମୋଟ ସଂଖ୍ୟା ମତଦାନ ଶେଷ ହେବାର ତୁରନ୍ତ ପରେ ଓ୍ବେବ୍‌ସାଇଟ୍‌ରେ ଜାରି କରାଯାଉ ବୋଲି ଦାବି କରାଯାଇଛି। ଭାରତର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାର୍ଦିବାଲା ଏବଂ ମନୋଜ ମିଶ୍ରାଙ୍କ ମିଳିତ ବେଞ୍ଚ ଏହି ମାମଲାର ଆଗାମୀ ଶୁଣାଣି ମେ’ ୨୪ ରେ କରିବେ।
Share