ଢେଙ୍କାନାଳ ଅଫିସ,୧ା୯: କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୬ ଜଣ ଖେଳାଳି ନେହରୁ କପ୍ ହକି ପ୍ରତିଯୋଗିତାରେ ରନର୍ସଅଫ୍ ହୋଇ ଟ୍ରଫି ସହ ଗୁରୁବାର ଢେଙ୍କାନାଳ ରେଳଷ୍ଟେଶନଠାରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଜିଲା ହକି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଉରକେଲା ପାନପୋଷଠାରେ ଅନୁଷ୍ଠିତ ହୋଇଥିବା ହାଇସ୍କୁଲସ୍ତରୀୟ ନେହେରୁ କପ୍ ହକି ପ୍ରତିଯୋଗିତା ବାଳିକା ବିଭାଗ ଫାଇନାଲ ମ୍ୟାଚ୍ରେ ବିର୍ସା ମୁଣ୍ଡା ହାଇସ୍କୁଲଠାରୁ ହାରି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସଅପ୍ ହୋଇଛନ୍ତି। ଢେଙ୍କାନାଳରେ ହକିକୁ ପ୍ରୋତ୍ସାହିତ କରି ଆଗକୁ ବଢାଉଥିବା ବେଳେ ଅଭ୍ୟାସ ପାଇଁ ଢେଙ୍କାନାଳରେ ଏକ ଭଲ ପଡ଼ିଆ ନ ଥିବାରୁ ପାନପୋଷରେ ମ୍ୟାଚ୍ ଖେଳିବାବେଳେ ସମସ୍ୟା ଉପୁଜିଥିଲା ବୋଲି ଖେଳାଳିମାନେ କହିଥିଲେ। ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଢେଙ୍କାନାଳର ବାଳିକା ଖେଳାଳିମାନେ କୃତିତ୍ୱ ହାସଲ କରିଥିବାରୁ ଢେଙ୍କାନାଳରେ ଏକ ଉନ୍ନତମାନର ହକି ପଡ଼ିଆ ତିଆରି ପାଇଁ ଦାବି ହେଉଛି।