ଦୀପରେ ଝଲସିଲା କପିଳାସ

ଢେଙ୍କାନାଳ ଅଫିସ,୨।୩ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରୀଚନ୍ଦ୍ରଶେଖର ମହାଦେବଙ୍କ ଜାଗରଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇବର୍ଷ ପରେ ମହାଶିବରାତ୍ରିରେ ଜିଲାବାସୀଙ୍କୁ ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ହେଉଥିବା ଜାଗରଯାତ୍ରାରେ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପ୍ରାତଃ ସମୟରୁ ଦ୍ୱାରଫିଟା ନୀତି ପରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଜିଲାବାସୀଙ୍କୁ ଜାଗର ଯାତ୍ରାରେ ସାମିଲ ହେବାକୁ ଅନୁମତି ଦିଆଯାଇଥିବାରୁ ସକାଳୁ ମହାଦେବଙ୍କ ଦର୍ଶନ କରିବାକୁ ଲମ୍ବା ଧାଡ଼ି ଲାଗିଥିଲା। ମାନସିକଧାରୀ ଶ୍ରଦ୍ଧାଳୁମାନେ ସନ୍ଧ୍ୟାରୁ ଜାଗର ଜାଳିଛନ୍ତି। ହରହର ମହାଦେବ, ହରିବୋଲ ଓ ହୁଳହୁଳିରେ କପିଳାସ ପୀଠ ଉତ୍ସବମୁଖର ହୋଇଉଠିଛି। ନିର୍ଦ୍ଧାରିତ ସମୟରେ ମହାରୁଦ୍ରାଭିଷେକ, ନାଗଭରଣ ବେଶ, ପଞ୍ଚବକ୍ର ପୂଜା ପରେ ପ୍ରାତଃ ୪ଟା ୨୦ରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବା କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି। ପରମ୍ପରା ଅନୁଯାୟୀ ଯୁବରାଜ ଅମରଜ୍ୟୋତି ସିଂ ଦେଓ ପୀଠରେ ମହାଦେବ ଏବଂ ମା’ ପାର୍ବତୀଙ୍କ ପୂଜାର୍ଚ୍ଚନା କରିଥିଲେ। ସେହିପରି ବିଧାୟକ ସୁଧୀର କୁମାର ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀଚନ୍ଦ୍ରଶେଖରଙ୍କ ଦର୍ଶନ କରିଥିଲେ। ଜାଗରଯାତ୍ରା ପାଇଁ ଉଭୟ ପାହାଚ ଏବଂ ବାରବାଙ୍କ ରାସ୍ତା ଲୋକାରଣ୍ୟ ହୋଇଉଠିଛି। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଏଲ୍‌ ଦିବ୍ୟା ଭି., ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଶାନ୍ତିଶୃଙ୍ଖଳାର ରକ୍ଷା କରୁଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Share