ନୂଆଦିଲ୍ଲୀ, ୧୬।୧୨: ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ପରସ୍ପର ପ୍ରତି ଦୋଷାରୋପ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏବିପି ନ୍ୟୁଜ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କପିଲ ଦେବ କହିଛନ୍ତି, ‘ମିଡିଆରେ ଆସିବା ଏବଂ ଏପରି ଆଙ୍ଗୁଠି ଉଠାଇବା ଠିକ ନୁହେଁ। ଦକ୍ଷିଣ ଆଫ୍ରିକା ଗସ୍ତ କଥା ଚିନ୍ତା କରିବା ଶ୍ରେୟସ୍କର ହେବ ବୋଲି ସେ କହିଛନ୍ତି।
ବୋର୍ଡ ସଭାପତି ତାଙ୍କ ସ୍ଥାନରେ ଅଛନ୍ତି, ସେହିପରି ଟିମ ଇଣ୍ଡିଆର ଅଧିନାୟକ ହେବା ମଧ୍ୟ ଏକ ବଡ଼ କଥା। କିନ୍ତୁ ସର୍ବସାଧାରଣରେ ପରସ୍ପର ଉପରେ କାଦୁଆ ଫିଙ୍ଗିବା ଠିକ ନୁହେଁ। ସୌରଭ କିମ୍ବା ବିରାଟ ହୁଅନ୍ତୁ, ଉଭୟ ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଜରୁରୀ। ଏପରିସ୍ଥଳେ ଦେଶ ବିଷୟରେ ଚିନ୍ତା କରିବା ଭଲ ହେବ ବୋଲି କପିଲ କହିଛନ୍ତି।
କପିଲ ଦେବ ଏହା ମଧ୍ୟ କହିଛନ୍ତି ଯେ ଭୁଲ କଣ ତାହା ପରବର୍ତ୍ତୀ ସମୟରେ ହିଁ ଜଣା ପଡିବ। କିନ୍ତୁ ଯଦି ସାମ୍ନାକୁ ଆସି ଏପରି କୁହାଯାଏ ତେବେ ମୁଁ ଭାବୁଛି ଏହା ଠିକ ନୁହେଁ।