୪୫ ମହିଳାଙ୍କୁ ବଳାତ୍କାର ପରେ ଅଶ୍ଳିଳ ଭିଡିଓ କରି ବ୍ଲାକ ମେଲ କରୁଥିଲେ ପାକିସ୍ତାନ ସ୍କୁଲର ପ୍ରିନ୍ସପାଲ

କରାଚି,୬।୯: ପାକିସ୍ତାନର କରାଚିରୁ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ସେଠାରେ ଜଣେ ସ୍କୁଲ ପ୍ରିନ୍ସପାଲଙ୍କୁ ୪୫ ଜଣରୁ ଊର୍ଦ୍ଧ୍ୱ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ପାକିସ୍ତାନର ଖବରକାଗଜ ‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ ଅନେକ ମହିଳାଙ୍କ ଭିଡିଓ ଏବଂ ଫଟୋ ମଧ୍ୟ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ଶିକ୍ଷକ ଜଣକ ଇରଫାନ ଗଫୁର ମେମନ ବୋଲି ଜଣାପଡିଛି।
ଏହି ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜିଓ ନ୍ୟୁଜ ତାଙ୍କ ରିପୋର୍ଟରେ କହିଛି ଯେ ବଳାତ୍କାର ପରେ ସମସ୍ତ ପୀଡିତାଙ୍କୁ ବ୍ଲାକମେଲ କରାଯାଇଛି। ଜିଓ ନ୍ୟୁଜ ସହ ବାର୍ତ୍ତାଳାପ ବେଳେ ଅନୁସନ୍ଧାନକାରୀ ପୋଲିସ ଦାବି କରିଛି ଯେ ଅଭିଯୁକ୍ତ ପ୍ରିନ୍ସପାଲଙ୍କ ମୋବାଇଲରୁ ପୋଲିସ ଏହାର ପ୍ରମାଣ ମଧ୍ୟ ଉଦ୍ଧାର କରିଛି ଏବଂ ଏହି ଘଟଣାରେ ତାଙ୍କୁ ପଚରାଉଚରା ଚାଲିଛି।
‘ଡନ ନ୍ୟୁଜ’ର ରିପୋର୍ଟ ଅନୁଯାୟୀ ଅତୀତରେ କେତେଜଣ ମହିଳାଙ୍କ ଆପତ୍ତିଜନକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଥିଲା। ଯେତେବେଳେ ପୋଲିସ ଏ ବିଷୟରେ ଜାଣିବାକୁ ପାଇଲା, ସେତେବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଭାଇରାଲ ଫଟୋ ସହିତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଜଣେ ମହିଳା ଶିକ୍ଷକଙ୍କ ମଧ୍ୟରେ ଏକ ଅଶ୍ଳୀଳ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଭିଡିଓ ଆଧାରରେ ପୋଲିସ ଅନୁସନ୍ଧାନ କଲା, ସେତେବେଳେ ଏହା କରାଚିରେ ଥିବା ଏକ ବିଦ୍ୟାଳୟର ମାମଲା ବୋଲି ଜାଣିବାକୁ ପାଇଲା। ଭାଇରାଲ ଫଟୋରେ ଉପସ୍ଥିତ ଥିବା ସମସ୍ତ ମହିଳା କରାଚିର ଏକ ବିଦ୍ୟାଳୟରେ କାମ କରନ୍ତି । ଯାଞ୍ଚ ବେଳେ ପୋଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସନ୍ଦେହ କରିଥିଲା, ଏହା ପରେ ପଚରା ଉଚରା ସମୟରେ ସମସ୍ତ ରହସ୍ୟ ପ୍ରକାଶ କରିଥିଲେ।

Share