ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରସଙ୍ଗକୁ ନେଇ କରନ୍‌ ପ୍ରଶ୍ନ କରୁଛନ୍ତି। ଗୁରୁବାର ପ୍ରସାରିତ ହୋଇଥିବା ଏପିସୋଡରେ କିନ୍ତୁ କିଛି ଅଜବ ଘଟଣା ଦେଖିବାକୁ ମିଳିଛି।

ଶୋ’ରେ ଅତିଥି ଭାବେ ଅଭିନେତା ଆମିର ଖାଁ ଏବଂ କରିନା କପୁର ଖାଁ ପହଞ୍ଚିଥିଲେ। ଏହି ସମୟରେ କରିନାଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ ସେ। ହେଲେ ପ୍ରଥମେ କରିନାଙ୍କୁ ସେ ସମ୍ବୋଧନ କରି, ‘ବେବୋ, ତୁମେ ଏହି ଶୋ’କୁ ଅନେକ ଥର ଆସିଛ। ଯେମିତିକି ସ୍ବାମୀ, ପୂର୍ବ ସ୍ବାମୀଙ୍କ ସହ…’ ବୋଲି କହି ନୀରବି ଯାଇଥିଲେ। କାରଣ ସେ ଏଠାରେ ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ ବୋଲି ସମ୍ବୋଧିତ କରିଥିଲେ। ଯେତେବେଳେ ସେ ନିଜର ଭୁଲ ଜାଣିପାରିଲେ ସେ କିଛି ସମୟ କିଛି କହି ନ ଥିଲେ। ବେବୋ ମଧ୍ୟ ଏହି କଥା ଶୁଣି ଚକିତ ହୋଇଯାଇଥିଲେ। ପରେ କରନ୍‌ କ୍ଷମା ଚାହିଁବି, ପୂର୍ବ ସ୍ବାମୀ ନୁହନ୍ତି ବରଂ ପୂର୍ବ ପ୍ରେମିକଙ୍କ ସହ ଆସିଥିଲେ ବୋଲି କହିବା ଯୋଗୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ତେବେ ଶାହିଦ ଏବଂ କରିନା ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଏକାଠି ମଧ୍ୟ ସେମାନେ ଅନେକ ଫିଲ୍ମ କରିଛନ୍ତି। ହେଲେ ସୈଫ ଜୀବନକୁ ଆସିବା ପରେ କରିନା ଶାହିଦଙ୍କଠାରୁ ଅଲଗା ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସୈଫଙ୍କୁ କରିନା ବିବାହ କରିଥିଲେ। ଶାହିଦ ମଧ୍ୟ ପରିବାରର ସହମତିରେ ମୀରା କପୁରଙ୍କ ହାତ ଧରିଥିଲେ। ଉଭୟ ଏବେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।

Share