କରନ୍‌ଙ୍କ ମୁହଁରୁ ପ୍ରଶଂସା ଶୁଣି ଡରିଲେଣି କଙ୍ଗନା

ବମ୍ବେ: ବଲିଉଡ ନିର୍ଦ୍ଦେଶକ କରନ୍‌ ଜୋହର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ତିକ୍ତତା କାହାକୁ ବା ଅଛପା। ଦୁହେଁ ପରସ୍ପର ଉପରକୁ କାଦୁଅ ଫୋପାଡ଼ିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ହେଲେ ଏବେ ଓଲଟା ଦିଗରେ ପବନ ବୋହିବା ଭଳି ମନେ ହେଲାଣି। ନିକଟରେ ଏକ ସାକ୍ଷାତକାରରେ କରନ୍‌ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବନ୍ଧୁତା ସମ୍ଭବ ବୋଲି ଚର୍ଚ୍ଚା ଜୋର ଧରିଛି।

କରନ୍‌ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଆଗାମୀ ଦିନରେ କେଉଁ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ଦେଖିବାକୁ ଚାହିଁବେ ବୋଲି ପଚରାଯାଇଥିଲା। ଏହାର ଜବାବରେ କରନ୍‌ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସିଂ’ର ନାଁ ନେଇଥିଲେ। କରନଙ୍କ ଏହି ବୟାନ ଏବେ ଭାଇରାଲ ହେଉଛି।

କଙ୍ଗନା ନିଜେ ଏହାର ଭିଡିଓ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଶେଷ ଥର କରନ ମଣିକର୍ଣ୍ଣିକା ଦେଖିବାକୁ ଇଚ୍ଛୁକ ଥିବା କହିଥିଲେ। ଏହି ଫିଲ୍ମ ରିଲିଜ ହେବା ପରେ ମୁଁ ବହୁତ ଅସୁବିଧାରେ ପଡ଼ିଥିଲି। ଏବେ ପୁଣି ସେ ‘ଏମରଜେନ୍ସିଂ’ ଦେଖିବାକୁ ଇଚ୍ଛା ପ୍ରକାଶ କଲେଣି। ଏଣୁ ଡର ଲାଗିଲାଣି ବୋଲି କଙ୍ଗନା କହିଛନ୍ତି।

କହିରଖୁଛୁ,୧୯୮୩ରେ ଇନ୍ଦିରା ଗାନ୍ଧୀ ସରକାରଙ୍କ ସମୟରେ ଲାଗୁ ହୋଇଥିବା ‘ଏମରଜେନ୍ସିଂ ଉପରେ ଫିଲ୍ମଟି ନିର୍ମାଣ ହୋଇଛି। ଏହା ୨୦୨୩ ନଭେମ୍ବର ୨୪ରେ ରିଲିଜ ହେବ। ଅଭିନେତ୍ରୀଙ୍କ ଘରୋଇ ପ୍ରଯୋଜନା ସଂସ୍ଥା ଅଧୀନରେ ଏହା ନିର୍ମାଣ ହେଉଛି। ଫିଲ୍ମରେ ତାଙ୍କ ସହ ଭୂମିକା ଚାଓ୍ବଲ, ସତୀଶ କୌଶିକ, ମିଲିନ୍ଦ ସୋମେନ, ମହିମା ଚୌଧୁରୀ, ଶ୍ରେୟାସ ତଲପଡେ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

Share