ସୁଯୋଗ ଅପେକ୍ଷାରେ କରୀନା

କରୀନା ପୁଣି ସୁଯୋଗ ଅପେକ୍ଷାରେ ! ସତରେ, ଏପରି କଥାକୁ ହଜମ କରିବା ଭାରି କଷ୍ଟ। କାରଣ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କରୀନା ସଫଳତା ହାସଲ କରିଚାଲିଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ସାମ୍‌ନାକୁ ଆସିବା ସହ ନିଜ ଅଭିନୟ ଦକ୍ଷତାର ପ୍ରମାଣ ମଧ୍ୟ ଦେଇସାରିଛନ୍ତି। ହେଲେ ଏକ ପୂର୍ଣ୍ଣାଙ୍ଗ ଆକ୍ସନଭିତ୍ତିକ ଭୂମିକାରେ ଅଭିନୟ କରିବାକୁ ମନ ବଳାଇଛନ୍ତି ସେ। ବର୍ତ୍ତମାନ ସେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ତଥାପିି ସେ ଫିଲ୍ମ ଶୁଟିଂ ପାଇଁ ପାଦ ବଢ଼ାଇଛନ୍ତି। ଅର୍ଥାତ୍‌, ସେ ଅଭିନୟ କରୁଥିବା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତ୍ରୀ। ଏ ସମ୍ପର୍କରେ କରୀନା କହନ୍ତି, ‘ଏବେ ମୋତେ ବେଶ୍‌ ସତର୍କତା ସହ ଶୁଟିଂ କରିବାକୁ ପଡୁଛି। ଆଗକୁ ଏକ ଆକ୍ସନଭିତ୍ତିକ ଭୂମିକାରେ ବଡ ପରଦାରେ ଦେଖାଦେବାକୁ ଆଶା ରଖିଛି। ତେବେ ଏ ବିଷୟରେ କିଛି ମାସ ପରେ ନିଜକୁ ପ୍ରସ୍ତୁତ କରିବି। କାରଣ ବର୍ତ୍ତମାନ ମୁଁ ଗର୍ଭବତୀ ଅଛି। ଏକ ଭଲ ଆକ୍ସନଭିତ୍ତିକ କାହାଣୀ ସନ୍ଧାନରେ ବି ମୁଁ ଅଛି।’ ତେବେ କରୀନାଙ୍କର ଏହି ଆଶା କେବେ ପୂରଣ ହେଉଛି ତାହା ଆଗାମୀ ସମୟ ହିଁ କହିବ।

Share