ମୁମ୍ବାଇ,୬।୪: କରିନା କପୁର ଖାଁ ଏବଂ ଶୈଫ୍ ଅଲ୍ଲୀ ଖାଁଙ୍କ ଦ୍ୱିତୀୟ ପୁତ୍ର ଫେବୃୟାରୀ ୨୧ରେ ଜନ୍ମ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ଫଟୋକୁ ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ୍ କରାଯାଇ ନାହିଁ। ତେବେ ଜେଜେ ବାପା ରଣଧୀର କପୁର ଭୁଲରେ ଦ୍ୱିତୀୟ ପୁତ୍ରଙ୍କ ଫଟୋକୁ ଇନଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରି ଦେଇଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ସେ ଏହାକୁ ଡିଲିଟ୍ ମଧ୍ୟ କରି ଦେଇଛନ୍ତି। କିନ୍ତୁ ସେହି ସମୟ ମଧ୍ୟରେ କେତେକ ୟୁଜର ଫଟୋର ସ୍କ୍ରିନ୍ ଶଟ୍ ନେଇ ଏହାକୁ ଭିନ୍ନ ଭିନ୍ନ ସୋସିଆଲ୍ ମିଡ଼ିଆରେ ଅପ୍ଲୋଡ୍ କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। ଫଟୋ ସମ୍ପର୍କରେ କରିନା ଅବା ଶୈଫ୍ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ପୂର୍ବରୁ କରିନା ମଧ୍ୟ ଦ୍ୱିତୀୟ ପୁତ୍ରଙ୍କୁ ଧରିଥିବାର ଫଟୋ ଅପ୍ଲୋଡ୍ କରିଥିଲେ। କିନ୍ତୁ ଫଟୋରେ ଶିଶୁର ମୁହଁ ଦେଖାଯାଉ ନ ଥିଲା।