ଆଜକୁ ଠିକ୍ ୨୫ବର୍ଷ ତଳେ ଅର୍ଥାତ୍ ୧୯୯୯ମସିହା ମେ ମାସରେ ପାକସ୍ତାନୀ ସୈନ୍ୟ କାର୍ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଂଘନକରି ଅକ୍ତିଆର କରିଥିଲେ। ସେତେବେଳେ ସେମାନେ ପାହାଡ଼ ଉପରୁ ଭାରତୀୟ ସେନାଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ। ସେଇ ଦୁର୍ଗମ ଗିରିପଥରେ ଶତ୍ରୁ ସୈନ୍ୟଙ୍କ ସହିତ ମୁହଁାମୁହିଁ ହୋଇ ବୀର ଯବାନମାନେ ବୋଫର୍ସ କମାଣରେ ପାଲଟା ଜବାବ ଦେଇଥିଲେ।
ଆରମ୍ଭ ହୋଇଯାଇଥିଲା କାର୍ଗିଲ ଯୁଦ୍ଧ ବା ଅପରେଶନ ବିଜୟ। ଅହରହ ଗୁଳିବର୍ଷାକରି ଭାରତୀୟ ବୀର ଯବାନମାନେ ଶତ୍ରୁଙ୍କୁ ପରାସ୍ତକରି ଭାରତ ମାତାର ମଥାରେ ପିନ୍ଧାଇଥିଲେ ବିଜୟ ତିଳକ! ୨୬ ଜୁଲାଇ କାରଗିଲ୍ ବିଜୟ ଦିବସ ଅବସରରେ ଏହି ଯୁଦ୍ଧରୁ ସୁରକ୍ଷିତ ଭାବେ ଫେରିଥିବା କେତେଜଣ ବୀରସୈନିକଙ୍କ ଅନୁଭୂତି ସମ୍ପର୍କରେ…
ଯୁଦ୍ଧବେଳେ ମନରେ କେବଳ ଦୁର୍ବାର ସାହସ ଥାଏ:ପ୍ରସନ୍ନ ଚୌଧୁରୀ
କାର୍ଗିଲ ଯୁଦ୍ଧରେ ସେତେବେଳେ ସାମିଲ ହୋଇଥିଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଶିଳ୍ପାଞ୍ଚଳର ବର୍ତ୍ତମାନ ଅବସରପ୍ରାପ୍ତ ସୈନିକ ପ୍ରସନ୍ନ ଚୌଧୁରୀ। ସେ କୁହନ୍ତି, ‘ଯୁକ୍ତ ୨ ପଢ଼ା ପରେ ୧୯୯୧ମସିହା ୨୫ ଫେବୃଆରୀରେ କଶ୍ମୀରରେ ସୈନିକଭାବେ ଯୋଗଦେଇଥିଲି । ତା’ପରେ ୧୯୯୯ମସିହା ଫେବୃଆରୀରେ ମୋର ବିବାହ ହୋଇଥିଲା। ସେଥିପାଇଁ ଗାଁରେ ୨ମାସ ଛୁଟିରେ ରହି କର୍ମସ୍ଥଳୀକୁ ଫେରିଥିଲି । ସେହିବର୍ଷ ଅର୍ଥାତ୍ ୧୯୯୯ମସିହା ମେ ମାସବେଳକୁ ଗୁଲମାର୍ଗ ସେକ୍ଟରରେ ଆମ ବାଟାଲିଅନ (ମହାରେଜିମେଣ୍ଟ ୧୨ବାଟାଲିଅନ) ଥାଏ । ମୁଁ ଲାନ୍ସ ନାୟକ ବା ସେକ୍ସନ କମାଣ୍ଡର କାମ କରୁଥାଏ । ମେ ୨୪ରେ ଆମେ ଡ୍ୟୁଟି କରୁଥିବା ସ୍ଥାନରେ ‘ଦିଲ୍ କ୍ୟା କରେ’ ହିନ୍ଦୀ ସିନେମା ଶୁଟିଂ ଚାଲିଥାଏ । ହଠାତ୍ ସେହି ସମୟରେ ବାଟାଲିୟନ ବିଗୁଲ ବାଜିଲା । ଆମେ ସବୁ ଏକାଠି ହେଲୁ । ଆମକୁ ଜଣାଇ ଦିଆଗଲା ଯେ ପାକିସ୍ତାନ ଆକ୍ରମଣ ପାଇଁ ଉଦ୍ୟମ କରୁଛି । କିଛି ଆତଙ୍କବାଦୀ ଦେଶ ଭିତରକୁ ପଶି ଆସିଛନ୍ତି । ଆଉ ଲାଇନ ଅଫ୍ କଣ୍ଟ୍ରୋଲ ଅତିକ୍ରମ କରି ପାହାଡ଼ ଉପରୁ ଗୁଳି ବର୍ଷଣ କରୁଛି। ଏ ଖବର ଆମକୁ ଜଣାଇ ଦିଆଯାଇଥିଲା। ତା’ପରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର, ୪ଟି ଲେଖାଏ ଗ୍ରେନେଡ୍, ବନ୍ଧୁକ, ୧୮କିଗ୍ରାର ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍, ମୁଣ୍ଡରେ ବୁଲେଟ୍ପ୍ରୁଫ୍ ହେଲ୍ମେଟ ଆଉ ପିଠିରେ ୪୦କିଗ୍ରା ଓଜନର ହତିଆର ଲଦି ଚାଲିଲୁ । ୨୫ତାରିଖ ରାତିରେ ସେନାମାର୍ଗରେ ରହଣି ହେଲା। ତା’ ପରେ ଟାଇଗର ଭ୍ୟାଲି ଉପରକୁ ଚଢ଼ିଥିଲୁ । ଜଣେ କହିଲେ ଏହି ଟାଇଗର ଭ୍ୟାଲିର ତୀକ୍ଷ୍ଣ ଦୁର୍ଗମ ପଥକୁ ଯିଏ ଆସିଛି ସିଏ ଆଉ ଫେରିନି । ସେଥିପାଇଁ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଉଥାଉ। ଖିଆପିଆ ସାରିଥିଲୁ। ରାତି ୧୧ଟାରେ ଖବର ଆସିଲା ଏୟାର ଆଟାକ୍ ହେବ, ବ୍ରିଗେଡ ହେଡ୍କ୍ୱାର୍ଟରରୁ ମ୍ୟାପ କଲେକ୍ଶନ କରିଥିଲେ। ତା’ ପରେ ଟାଇଗର ଭ୍ୟାଲି ଚଢିଥିଲୁ। ଟାଙ୍ଗରା ସହ ବରଫ ପାହାଡ଼କୁ ୮ରୁ ୯ ଡିଗ୍ରି ତାପମାତ୍ରାରେ ଚଢିବା ବେଳେ ପଥର ଖସିଯାଉଥାଏ। ବଡ଼ବଡ଼ ପଥର ତଳେ ଲୁଚିଲୁଚି ରାତିରେ ଯାଇଥିଲୁ। ଖାଇବା ପାଇଁ ସେମିତି କିଛି ଆଉ ନ ଥାଏ। ଯେଉଁଠି ପାଣି ଥାଏ ସେଠାରେ ପାକିସ୍ତାନୀ ସେନା ବିଷ ପକାଇଦେଇଥାନ୍ତି । ୩ଦିନ ସମ୍ପୂର୍ଣ୍ଣ ଭୋକିଲା ରହିଥିଲୁ । ପ୍ରଥମେ ଆମେ ଗ୍ରେନେଡ୍ ମାରି ପାକିସ୍ତାନୀଙ୍କୁ ମାରିଦେଲୁ ଆଉ କେତେଜଣଙ୍କୁ ଖୋକରିରେ ମୁହଁାମୁହିଁ ଆକ୍ରମଣ କରି ମାରିଥିଲୁ। ମରିବୁ ନ ହେଲେ ମାରିବୁ ନୀତିରେ ଲଢ଼େଇ କରିଥିଲୁ । ଆଖିବୁଜି ଶବ ଉପରେ ଶବ ବିଛେଇ ଚାଲିଥିଲୁ । ପାକିସ୍ତାନୀ ହାର ମାନିଥିଲେ। କେତେଜଣଙ୍କୁ ଗିରଫକରିଥିଲୁ । ଯେତେବେଳେ ଆମେ ଯୁଦ୍ଧରେ ମଚିଲ ସେକ୍ଟର ବିଜୟକରି ଅକ୍ତିଆରକଲୁ ତା’ ପରେ ଭୋକରେ ଜଳୁଥିବା ପେଟକୁ ଶାନ୍ତି ମିଳିଲା। ଖୁସିରେ ପାକିସ୍ତାନୀ ବଙ୍କରରେ ଚଣା ଖାଇଥିଲୁ। ଶତ୍ରୁ ପରାଜୟ ସ୍ବୀକାର କରି ଫେରିଯାଇଥିଲା ବେଳେ ବାଟରେ ମାଇନ୍ସ ବିଛାଇ ଯାଇଥିଲା। ସେଥିରେ ଆମର କେତେଜଣ ସୈନିକ ଶହୀଦ ହୋଇଥିଲେ। ଯୁଦ୍ଧରେ ସଚ୍ଚିଦାନନ୍ଦ ମଲିକ ଓ ଶ୍ରୀନିବାସ ପାତ୍ର ଶହୀଦ ହୋଇଥିଲେ। ପ୍ରାୟ ୨୫ ଜଣ ଆହତ ହୋଇଥିଲେ। ମୋର ବାମ ଆଖିରେ ବାରୁଦ ପଡ଼ି ଅସୁସ୍ଥ ହୋଇପଡ଼ିଥିଲି। ସେହିବର୍ଷ ଜୁଲାଇ ୪ରେ ପୁଣି ଟାଇଗର ହିଲ୍ ଆକ୍ରମଣ ହେଲା। ସେଠାରେ ୫ଜଣ ଶହୀଦ ହୋଇଥିଲେ । ପ୍ରାୟ ୪ ହଜାର ୭୭୫ଫୁଟ୍ ଉଚ୍ଚ ପାହାଡ଼ରେ ଯୁଦ୍ଧବେଳର ଭୟଙ୍କର ଗୋଳାବାରୁଦରେ ଦେଶପାଇଁ ଲଢ଼େଇ କରିବାର ଅନୁଭୂତି କେବେ ଭୁଲିପାରିବି ନାହିଁ । ଯୁଦ୍ଧ ସରିବାର କିଛିଦିନ ପରେ ଘରକୁ ଫେରିଥିଲି। ଗାଁ ଓ ପରିବାର ଲୋକ ମତେ ଦେଖି କାନ୍ଦି ପକାଇଥିଲେ। ୨୦୦୭ ଫେବୃଆରୀରୁ ଅବସର ନେଇସାରିଛି ।
ଆଖିପିଛୁଳାକେ ଗୁଳି ବର୍ଷୁଥିଲା: ଦେବାନନ୍ଦ ବିଶ୍ୱାଳ
ଆଜକୁ ଠିକ୍ ୨୫ବର୍ଷ ତଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କଶ୍ମୀରର କାର୍ଗିଲ ସେକ୍ଟରରେ ସେନା ଶିବିରକୁ ଶତ୍ରୁପକ୍ଷ ପାକିସ୍ତାନୀ ସେନାଙ୍କ ଘନ ଘନ ଆକ୍ରମଣ ହେଲା । ଏହାର ଉଚିତ ଜବାବ ଦେଇଥିଲା ଭାରତ। ଆମର ବୀର ଯବାନମାନଙ୍କ କମାଣ ଗର୍ଜିଉଠିଥିଲା । ଶତ୍ରୁପକ୍ଷଙ୍କ ସହ ଘମାଘୋଟ ଲଢ଼େଇ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନୀ ସେନା ମୃତ୍ୟୁବରଣ କରିବା ସହିତ ପରାଜୟ ସ୍ବୀକାର କରି ପଛଘୁଞ୍ଚା ଦେଇ ପଳାଇଥିଲେ । ତେବେ ସେତେବେଳେ ଏହି କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିଲେ ଭାରତୀୟ ଯବାନ ଦେବାନନ୍ଦ ବିଶ୍ୱାଳ । ସେ କୁହନ୍ତି, ‘୧୯୮୯ମସିହା ଜୁନ୍ ୪ରେ ମୋର ପଶ୍ଚିମବଙ୍ଗର ବନାଗୁଡ଼ିଠାରେ ଭାରତୀୟ ପଦାତିକ ବାହିନୀରେ ଚାକିରି ହୋଇଥିଲା । ୧୯୯୯ମସିହାରେ ପାକିସ୍ତାନ ସେନା କଶ୍ମୀର ସଂଲଗ୍ନ କାର୍ଗିଲ ପାହାଡ଼ ଉପରେ ଥିବା ଭାରତୀୟ ସେନାଘାଟିକୁ ଅଧିଗ୍ରହଣ କରିବାକୁ ଉଦ୍ୟମ କରିଥିବାରୁ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା । ଆମେ ସେତେବେଳେ ମେ ୨୧ରୁ ଜୁନ୍ ୬ ଯାଏ କଣ୍ଟେଲିଜେନ୍ସ ସେକ୍ଟରରେ ରହି କାମ କରିଥିଲୁ । ରାସ୍ତା ନ ଥିଲା, ନିଜେ ନିଜେ ରାସ୍ତା କରି ପାହାଡ଼ ଉପରକୁ ଯିବାକୁ ପଡ଼ୁଥିଲା । ପୁଣି ସାଥିରେ ଓଜନିଆ ସାମଗ୍ରୀ ଧରି ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚତ୍ବାକୁ ହେଉଥିଲା । ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ସେନା ମଧ୍ୟରେ ସହଯୋଗ ରହିଥାଏ । ମନରେ କଷ୍ଟ ନ ଥାଏ। ପ୍ରଥମେ କିପରି ନିଜକୁ ବଞ୍ଚାଇ ଶତ୍ରୁକୁ ନିପାତ କରିବାକୁ ହେବ କେବଳ ମନରେ ଏହି ଚିନ୍ତା ରହିଥାଏ । ସେତେବେଳେ ଘର ଦ୍ୱାର ସବୁକିଛି ଭୁଲିଯାଉ । କେବଳ ଶତ୍ରୁକୁ ଟାର୍ଗେଟ୍ କରି ଦେଶର ସୁରକ୍ଷା ପାଇଁ ମନରେ ଅଦମ୍ୟ ସାହସ ଭରିଥାଏ। ଅପରେଶନ ସମୟରେ ସୈନିକଙ୍କ ମଧ୍ୟରେ ଭାଇଚାରା ପାଇଁ ଖୁସି ଲାଗେ। ଫରଓ୍ବାର୍ଡ ଅପରେଶନ ବେଳେ ପ୍ରାୟ ୫୦ ମିଟର ଦୂର ବି ଶତ୍ରୁପକ୍ଷ ସେନାଙ୍କ ସହିତ ସମ୍ମୁଖୀନ ହେବାକୁ ପଡ଼ିଛି । କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିବାର ନିଶ୍ଚିତ ଆଶଙ୍କା ରହିଥିଲା । ଯେତେବେଳେ ଗନ୍ ଏରିଆ ଉପରକୁ ପାକିସ୍ତାନ ଆକ୍ରମଣ କଲା । ଦେଖୁଦେଖୁ ଚାରିଆଡ଼େ ବିଛେଇ ହୋଇପଡ଼ିଲା ରକେଟ୍ ଓ ଅନ୍ୟାନ୍ୟ ଗୋଳାବାରୁଦ । ସେତେବେଳେ ସେକ୍ଟରରେ ଆମେ ରହିଥିଲୁ । ଏହି ଯୁଦ୍ଧରେ ଶତାଧିକ ବୀର ଯବାନ ଶହୀଦ ହେଲେ । ଓଡ଼ିଶାରୁ ଅନ୍ୟମାନଙ୍କ ମଧ୍ୟରେ ଅରବିନ୍ଦ ମଲିକ, ଶ୍ରୀନିବାସ ପାତ୍ରଙ୍କ ସମେତ ଆଉ କେତେଜଣ ଦେଶପାଇଁ ଶହୀଦ ହୋଇଥିଲେ। ମୃତ୍ୟୁକୁ କାହାର ଖାତିର ନ ଥିଲା । ଏପରି ଘଟଣାର ଅନୁଭୂତି ମୋର ସର୍ବଦା ମନେରହିଥିବ।
ଯୁଦ୍ଧବେଳେ ବର୍ଡରକୁ ପ୍ରୋଟେକ୍ଶନ ଦେଉଥିଲୁ- ୧୯୮୨ମସିହାର କଥା ା ଏୟାରଫୋର୍ସରେ ନିଯୁକ୍ତ ସମ୍ପର୍କରେ ଏକ ଖବରକାଗଜରୁ ସୂଚନାପାଇ ନିଯୁକ୍ତିପାଇଁ ଆବେଦନ କରିଥିଲି । ସେତେବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ୨ ସାଇନ୍ସ ପଢୁଥିଲି । ଖୋର୍ଦ୍ଧାଜିଲା ସୋରଣ ଗ୍ରାମର ସର୍ଜେଣ୍ଟ ଶତ୍ରୁଘନ ପ୍ରଧାନ କୁହନ୍ତି ଏୟାର ଫୋର୍ସରେ ଯୋଗଦେବା ନିମନ୍ତେ ୧୯୮୩ ମସିହାରେ ଡାକଯୋଗେ ଘରକୁ ଖବର ଆସିଥିଲା। ତା’ପରେ ସେନାରେ ଯୋଗ ଦେଉଥିବାର ଜାଣି ମୋ ବୋଉ ପ୍ରଥମେ କାନ୍ଦି ପକାଇଥିଲା। ତାକୁ ସେତେବେଳେ କହିଥିଲି ମୋ ପରି ଅନେକ ପୁଅ ଦେଶପାଇଁ କାମ କରୁଛନ୍ତି । ଏତିକି କହିବାରେ ସେ ଆଉ କିଛି କହି ନ ଥିଲା। ପ୍ରଥମେ ସାମ୍ବାରେଟ୍ରେନିଂ ନେଲି, ଏହାପରେ ବାଙ୍ଗାଲୋରରେ ଇଲେକ୍ଟ୍ରୋନିକ ଇଞ୍ଜିନିୟର ଭାବେ ଯୋଗ ଦେଲି । ତା’ପରେ ଯୋଧପୁରରେ ମିଗ୍-୨୧ ସକଡନରେ ପୋଷ୍ଟିଂ ହୋଇଥିଲା। ପରେ ବରେଲିକୁ ଯାଇଥିଲି । ସେଠାରୁ ୧ବର୍ଷ ପାଇଁ ରୁଷିଆ ଗଲି । ପୁଣି ବରେଲିରେ ରହିଥାଏ । ୧୯୯୯ ମସିହା ମେ ମାସ । ଆମେ ସମସ୍ତେ ବିଶ୍ରାମ ନେଉଥିଲୁ, ହଠାତ୍ ସେଦିନ ସାଇରନ ବାଜିଉଠିଲା। ୟୁନିଟ୍ରେ ରିପୋର୍ଟ କରିଥିଲୁ । ତା’ପରେ ରାତିରେ ଆଗ୍ରା ଯାଇ ସେଠାରେ ପ୍ରୋଟେକ୍ଶନ୍ ଦେଇଥିଲୁ । ସେଠାରୁ ପୁଣି ଅମୃତସର ଯାଇଥିଲୁ ଏବଂ କାର୍ଗିଲ ବର୍ଡର ପ୍ରୋଟେକ୍ଶନରେ ପୂରା ସର୍ତକ ରହିଥାଉ । କାରଣ ମୁଁ ବାୟୁସେନାରେ ରହିଥାଏ । ଏଥିପାଇଁ ଏୟାର ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ଥାଉ । କାର୍ଗିଲ ଯୁଦ୍ଧର ବିଭିନ୍ନ ଖବର ଆମେ ଜାଣିବାକୁ ପାଉଥାଉ। ଯେମିତି ହେଉ ଶତ୍ରୁପକ୍ଷଙ୍କୁ ନିପାତ କରିବାକୁ ହେବ, ସମସ୍ତଙ୍କ ମନରେ କେବଳ ଗୋଟିଏ କଥା। କିନ୍ତୁ ଏମିତି ପରିସ୍ଥିତିରେ ମୋ ବାପା କୁଞ୍ଜବିହାରୀ ପ୍ରଧାନଙ୍କ ଦେହାନ୍ତ ହୋଇଥିବା ଘରୁ ଖବର ଆସିଥିଲା ହେଲେ ସେତେବେଳେ ଆଉ ଘରକୁ ଯିବା ସମ୍ଭବ ହୋଇପାରି ନ ଥିଲା । କିଛିଦିନପରେ ଗାଁକୁ ଫେରିଥିଲି। କାର୍ଗିଲ ବିଜୟରେ ମନରେ ଉତ୍ସାହ ରହିଥିବା ବେଳେ ସେତେବେଳେ ବାପାଙ୍କ ଶେଷ ସମୟରେ ଦେଖି ନ ପାରିବାର ଦୁଃଖ ମନରେ ଅବସୋସ ରହିଗଲା। ତା’ପରେ ୨୦୦୫ରୁ ଅବସର ନେଇ କିଛିମାସ ଏକ ଘରୋଇ ପଲିଟେକ୍ନିକ କଲେଜର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିଥିଲି । ଭାରତୀୟ ପୂର୍ବ ସେନା ସଂଘ ଓଡ଼ିଶା ଚିଲିକା ଶାଖାର ସମ୍ପାଦକ ଭାବେ କାର୍ଯ୍ୟ କରିବା ସହିତ ଯୁବପିଢିଙ୍କୁ ମାଗଣାରେ ସେମାନଙ୍କ ଦକ୍ଷତା ବୃଦ୍ଧି ସମ୍ପର୍କରେ ସେନାରେ ଯୋଗଦେବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରୁଛିୁ । କାର୍ଗିଲ ବିଜୟ ଦିବସ ପାଳନ କରି ଅବସରପ୍ରାପ୍ତ ସୈନିକମାନେ ଆମ ଅଞ୍ଚଳରେ ଏକ ରାଲି କରି ଦେଶପ୍ରେମର ବାର୍ତ୍ତା ଦେବାରେ ନିଜକୁ ଧନ୍ୟ ମନେକରୁଛୁ ।
ଯୁଦ୍ଧବେଳେ ସମସ୍ତେ ସର୍ତକ ରହିଥାଉ -ସ୍କୁଲ ବୟସରୁ ସେ ଚିନ୍ତାକରୁଥିଲେ ଆର୍ମିରେ ଯୋଗଦେବା ପାଇଁ । ସେଥିପାଇଁ ୧୦ମ ପାସ୍ ପରେ ଆର୍ମି ପାଇଁ ପରୀକ୍ଷା ଦେଇ ନିଯୁକ୍ତି ପାଇଥିଲେ । ସେ ହେଲେ ଅବସରପ୍ରାପ୍ତ ସୁବେଦାର ମେଜର ସୁକାନ୍ତ କୁମାର ବେହେରା, ଘର ଖୋର୍ଦ୍ଧା ଜିଲାର ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ଗାଁରେ । ସେ କୁହନ୍ତି, ମୁଁ ୧୯୮୫ ମସିହାରେ ଆସାମର ନିତିସୁକିରେ ପ୍ରଥମେ ଜଣେ ସିପାହି ଭାବେ ଆର୍ମିରେ ଯୋଗଦେଇଥିଲି। ପରେ ଅରୁଣାଚଳପ୍ରଦେଶ, ତ୍ରିପୁରା, ମଣିପୁର ଆଦି ରାଜ୍ୟରେ କାର୍ଯ୍ୟକଲି । ମାତ୍ର ୧୯୯୯ମସିହାରେ ଲକ୍ଷ୍ନୌରେ ହାବିଲଦାରଭାବେ କାର୍ଯ୍ୟକରୁଥାଏ । କାର୍ଗିଲ ଯୁଦ୍ଧ ପାଇଁ ସମସ୍ତେ ସଜାଗ ରହିବାକୁ ସୂଚନା ଆସିଲା। ହଠାତ୍ ଲକ୍ଷ୍ନୌରୁ ଜମ୍ମୁୁ-କଶ୍ମୀର ଯାଇଥିଲୁ। ସେଠାରେ ଉଦୟପୁରଠାରେ ରହିଲୁ। ପରେ ଶାମ୍ବା ସେକ୍ଟରକୁ ଯାଇଥିଲୁ । ସେଠାରେ ଯେଉଁମାନେ କାର୍ଗିଲ ହିଲ୍ରେ ଲଢିବେ ସେମାନଙ୍କୁ ସପୋର୍ଟ ପାଇଁ ଆମେ ପ୍ରସ୍ତୁତ ରହିଥାଉ। ଏଠାରେ ବିଭିନ୍ନ ଟ୍ରେନିଂ ଅଭ୍ୟାସ ଜାରିରହିଥିଲା । ମୋର କାର୍ଯ୍ୟ ଥିଲା ବାରୁଦ ସାମଗ୍ରୀର ପରିଚାଳନା ତଥା ଆସଲ-ପ୍ଲାଟୁନର ଦାୟିତ୍ୱ ତୁଲାଇବା । କାର୍ଗିଲ ଯୁଦ୍ଧ ଚାଲଥାଏ। ଆମେ ରାସ୍ତାରେ ଆସୁଥିବାବେଳେ ବିଭିନ୍ନ ଅଞ୍ଚଳର ଲୋକମାନେ ସୈନିକମାନଙ୍କୁ ଶ୍ରଦ୍ଧାକରୁଥିଲେ । ଲତା ମଙ୍ଗେସକରଙ୍କ ଗୀତ ଏ ମେରେ ବତନ ଲୋଗ୍… ଦେଶପ୍ରେମ ଗୀତ ଶୁଣି ଆମେ ଉତ୍ସାହିତ ହୋଇପଡ଼ିଥଲୁ। କାର୍ଗିଲ ବିଜୟ ବେଳେ ଖୁବ୍ ଆତ୍ମାହରା ହୋଇପଡ଼ିଥିଲି । ୨୦୧୪ମସିହାରେ ଅବସର ନେଇସାରିଛି । ପ୍ରତିବର୍ଷ କାର୍ଗିଲ ବିଜୟ ଦିବସ ପାଳନ କରୁଛୁ । ତେବେ ଯୁଦ୍ଧବେଳେ ସୈନିକମାନେ ଶତ୍ରୁକୁ ପତନ କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥାନ୍ତି । ମାତ୍ର ସମସ୍ତ ସୈନିକ ଯୁଦ୍ଧବେଳେ ଲଢେଇ ପାଇଁ ସଜାଗ ରହିଥାନ୍ତି ।
ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସେନାଙ୍କ ଅସୀମ ପରାକ୍ରମ ରହିଛି- ସ୍କୁଲ, କଲେଜରେ ପଢ଼ାବେଳେ ଜଣେ ମେଧାବୀଛାତ୍ର ଭାବେ ତାଙ୍କର ସୁନାମ ରହିଛି। ସେ ହେଲେ ଅବସରପ୍ରାପ୍ତ କଲୋନେଲ ଡ.ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ। ଘର ନୟାଗଡ଼ ଜିଲାର କର୍ଟଲୋରେ । ସେ କୁହନ୍ତି, ସ୍କୁଲ ସମୟରେ ସେ ଏନ୍ସିସିରେ ଯୋଗଦେଇଥିଲେ। ସମୟକ୍ରମେ ଇଣ୍ଡିଆନ ଆର୍ମିରେ ଯୋଗଦେଲେ। ୧୯୮୧ମସିହାରେ ଭାରତର ନାଥୁଲାଠାରେ ଜଣେ ସେକେଣ୍ଡ ଲ୍ୟୁଟନାଣ୍ଟ ପଦବୀରେ ନିଯୁକ୍ତ ହୋଇ କାର୍ଯ୍ୟକରିଥିଲେ । ସେ କୁହନ୍ତି, ୧୯୯୯ମସିହା କାର୍ଗିଲ ଯୁଦ୍ଧ ସମୟରେ ଅଫିସର ସିଓ ଭାବେ ଜମ୍ମୁ-କଶ୍ମୀରର ପୁଞ୍ଚ୍ ସେକ୍ଟରରେ ରହିଥିଲି । ପାକିସ୍ତାନୀ ସେନା ନୋ ମ୍ୟାନ ଲାଇନ ପରିସରକୁ ଅତିକ୍ରମ କରିଥିଲେ। କାର୍ଗିଲ ସେକ୍ଟରରେ କେତେକ ସ୍ଥାନରେ ବଙ୍କର କରିଥିଲେ । ଭାରତୀୟସେନା ଘାଟି ଉପରକୁ ଗୁଳି ବର୍ଷଣ କରିଥିଲେ। ୧୪ମେ ୧୯୯୯ମସିହାରେ କମାଣ୍ଡରଙ୍କୁ ଫୋନ ଆସିଲାଥିଲା। ବହୁତ ଅର୍ଜେଣ୍ଟ । ୧୨ଟା ବୋଫୋର୍ସ ଯିବ । ଏଥିରେ ମୁଁ ନିଜେ ସାମିଲ ହୋଇ ବ୍ରିଗେଡିୟର ଲକ୍ଷ୍ମୀଧର ସିଂଙ୍କୁ କୋଅର୍ଡିନେଟ କରିଥିଲି। ଜମ୍ମୁ-ଶ୍ରୀନଗର ବାଟଦେଇ ଯିବାକୁ ପଡ଼ିଥିଲା। ଅପରେଶନ ଭାରି କଷ୍ଟଥିଲା ଓ ଅତି କୌଶଳବି ଥିଲା । ସର୍ବଦା ସର୍ତକ ରହିବାକୁ ପଡ଼ିଥାଏ । କାର୍ଗିଲ ସେତେବେଳେ ପୂରା ମାଇନସ୍ ୪୦ଡିଗ୍ରି ତାପମାତ୍ରା ରହିଥାଏ। ଆମ ବୀର ଯବାନମାନଙ୍କ ମନରେ ଜୋସ ଥାଏ । ଯେମିତି ହେଉ ଶତ୍ରୁ ପକ୍ଷଙ୍କ ପତନ କରିବୁ । ଏଥିପାଇଁ ଯେଉଁମାନେ ପାହାଡ଼ ଚଢାଟ୍ରେନିଂ ଜାଣିଥିଲେ ସେମାନେ ଆଗଭର ହୋଇ ସେଠାରେ ସାମିଲ ହୋଇଥିଲେ । କାରଣ ପାକିସ୍ତାନୀ ସେନା ପାହାଡ଼ ଉପରୁ ଗୁଳି ବର୍ଷଣ କରୁଥିଲା। ଆମକୁ ପୂରା ସର୍ତକତାର ସହିତ ଯୁଦ୍ଧ କରିବାକୁ ପଡ଼ିଛି । ସେତେବେଳେ ପୂରା ପ୍ରସ୍ତୁତିରେ ରହୁଥିଲୁ । କାର୍ଗିଲ ଯୁଦ୍ଧରେ ପ୍ରାୟ ୫୨୭ଜଣ ଶହୀଦ ହୋଇଥିବାବେଳେ ୧୩୮୨ଜଣ ଆହତ ହୋଇଥିଲେ । ମାତ୍ର ପାକିସ୍ତାନ ପରାସ୍ତ ହୋଇ ପଳାୟନ କରିଥିଲା । ଏଥିରେ କାର୍ଗିଲ ଯୁଦ୍ଧ ବା ଅପରେଶନ ବିଜୟର ବିଜୟଯାତ୍ରା ହୋଇଥିଲା। ତେବେ ଶତ୍ରୁଙ୍କୁ ପରାସ୍ତ କରିବାରେ ଭାରତୀୟ ସେନାଙ୍କ ଅସୀମ ପରାକ୍ରମ ଯୁଗେଯୁଗେ ରହିଛି । ତେବେ ଦେଶ ସୁରକ୍ଷାରେ ସର୍ବଦା ସର୍ତକ ରହିଥିବା ଯବାନମାନେ ଆମକୁ ସବୁକାଳରେ ଦେଶପ୍ରେମର ପ୍ରେରଣା ଦେଇଥାନ୍ତି।
– ବନବିହାରୀ ବେହେରା