କରହଲରେ ପୁନଃ ମତଦାନ ପାଇଁ ଦାବି କଲେ ବାଘେଲ

ମୈନପୁରୀ,୨୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଭିଭିଆଇପି ଆସନ କରହଲରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇସାରିଛି। ମତଦାନ ପରେ ଏଠାରେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ ଭୋଟରଙ୍କୁ ଭୟଭୀତ କରି ଭୋଟ ହାତେଇଥିବା ଅଭିଯୋଗ ହୋଇଛି। ଭାଜପା ପ୍ରାର୍ଥୀ ତଥା କେନ୍ଦ୍ର ରାଜ୍ୟ ଆଇନ ଓ ନ୍ୟାୟ ମନ୍ତ୍ରୀ ପ୍ରଫେସର ସତ୍ୟ ପାଲ ସିଂ ବାଘେଲ ଏନେଇ ଅଭିଯୋଗ ଆଣିଛନ୍ତି। ସମାଜବାଦୀ ପାର୍ଟି(ଏସ୍‌ପି)ର କାର୍ଯ୍ୟକର୍ତ୍ତାଙ୍କ ଉପରେ ସେ ବୁଥ୍‌ ଦଖଲ, ନକଲି ଭୋଟ ଦେବା ଓ ଭୋଟରଙ୍କୁ ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଆୟୋଗଙ୍କ ନିକଟରେ ବାଘେଲ ୬୪ଟି ବୁଥ୍‌ ଦଖଲ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାର ପ୍ରମାଣ ଭାବରେ ସେ ଦନ୍ନାହାରର ବୁଥ୍‌ ନମ୍ବର ୧୧୦ର ଏକ ଭିଡିଓ ମଧ୍ୟ କାରି କରିଛନ୍ତି। ଏହି ବୁଥ୍‌ରେ ଅନେକ ମହିଳାଙ୍କୁ ଠିଆ କରାଯାଇ ଅନ୍ୟମାନେ ଲଗାତର ଭାବେ ସେମାନଙ୍କ ଭୋଟ ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ଭାଜପା ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ, ବହୁ ଭୋଟରଙ୍କ ବଦଳରେ ଏସ୍‌ପି କର୍ମକର୍ତ୍ତମାନଙ୍କ ଦ୍ୱାରା ଭୋଟ ଦିଆଯାଇଛି। ଏଥିସହ ଭୋଟରଙ୍କୁ ମାଡ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଯେଉଁ ବୁଥ ଗୁଡିକରେ ବିଶୃଙ୍ଖଳା ଦେଖାଦେଇଛି ସେହି ବୁଥଗୁଡିକରେ ପୁନଃ ମତଦାନ କରାଯିବା ଉଚିତ୍‌ ବୋଲି ବାଘେଲ ଦାବି କରିଛନ୍ତି। ଏସପି ସିଂ ବାଘେଲ ନିଜ ଅଭିଯୋଗ ପତ୍ରରେ ୧୨ଜଣ ଭୋଟରଙ୍କ ନାମ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଏଭଳି ଅଭିଯୋଗ ଆଣିିଛନ୍ତି। ଏଥିସହ ସେଥିରେ ୬୪ଟି ବୁଥ୍‌ର ନାମ ମଧ୍ୟ ଉଲ୍ଲେଖ କରାଯାଇଛି, ଯେଉଁଠାରେ ବିଶୃଙ୍ଖଳା ଦେଖାଦେଇଛି। ସେ ଏହି ଅଭିଯୋଗ ପତ୍ରକୁ ମୁଖ୍ୟ ନିର୍ବାଚନ କମିଶନର ଦିଲ୍ଲୀ, ମୁଖ୍ୟ ନିର୍ବାଚନ କମିଶନର ଉତ୍ତରପ୍ରଦେଶ ଲକ୍ଷ୍ନୌ ଓ ଜିଲା ନିର୍ବାଚନ ଅଧିକାରୀ ମୈନପୁରୀକୁ ପଠାଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ମୁତାବକ, ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କରହଲ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହପିରି ଏହି ଆସନରୁ ଭାଜପା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଏସ୍‌ପି ସିଂ ବାଘେଲ ମଇଦାନକୁ ଓହ୍ଲାଇଛନ୍ତି ଏବଂ ବିଏସ୍‌ପିରୁ କୁଲଦୀପ ନାରାୟଣ ନିର୍ବାଚନ ଲଢ଼ୁଛନ୍ତି।

Share