ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ଆର୍‌ଆଇ

କର୍ଲାମୁଣ୍ଡା,୨୩।୪(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆର୍‌ଆଇ ରମେଶ ବରାଳ। ଏକ ଡିମାରକେଶନ ରିପୋର୍ଟ ପାଇଁ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନାନୁଯାୟୀ, ରିଞ୍ଜା ଗ୍ରାମର ବିରଞ୍ଚି ଚୌଧୁରୀ କର୍ଲାମୁଣ୍ଡାଠାରେ ଥିବା ଖାତା ନଂ ୧୨୪/୮୨୫, ୧୨୪/୪୦୪ ର ଡିମାରକେଶନ କରାଇଥିଲେ। ରିପୋର୍ଟ ପାଇଁ ଆର୍‌ଆଇ ରମେଶ ବରାଳ ୨ ହଜାର ଟଙ୍କା ଦେବାକୁ ବିରଞ୍ଚିଙ୍କୁ କହିଥିଲେ। ଏ ସଂପର୍କରେ ବିରଞ୍ଚି କଳାହାଣ୍ଡି ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଦିନ ପ୍ରାୟ ସାଢେ ୧୦ ଘଣ୍ଟା ସମୟରେ ୨ ହଜାର ଟଙ୍କା ଧରି ବିରଞ୍ଚି ଆର୍‌ଆଇଙ୍କ କାର୍ଯ୍ୟାଳୟକୁ ଯାଇ ଆର୍‌ଆଇ ବରାଳଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍‌ ଆର୍‌ଆଇଙ୍କ କାର୍ଯ୍ୟାଳୟରେ ଚଢାଉ କରି ୨ ହଜାର ଟଙ୍କା ଜବତ କରିଥିଲେ। ଏହି ଚଢାଉରେ ଭିଜିଲାନ୍ସର ରାଜେଶ ନାଏକ, ବ୍ରହ୍ମାନନ୍ଦ ପଣ୍ଡା, ସନ୍ତୋଷ କୁମାର ମହାନ୍ତି, ଗୁଣନିଧି ସାହୁ, ଶିବପ୍ରସାଦ ପଧାନ ପ୍ରମୁଖ ସାମିଲ ଥିଲେ।

ତେବେ ପୂର୍ବରୁ ଏହି ତହସିଲର ପୂର୍ବତନ ତହସିଲଦାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ଏବେ ସଦର ଆର୍‌ଆଇ ଭିଜିଲାନ୍ସ ଜାଲରେ ପଡିଥିବା ବିଷୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।