Categories: ଖେଳ

କର୍ମନ କୌର ଥାଣ୍ଡିଙ୍କୁ ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୨୫ା୭: ଭାରତର କର୍ମନ କୌର ଥାଣ୍ଡି ଯୁକ୍ତରାଷ୍ଟ୍ର ଆମେରିକାରେ ଇଭାନ୍ସଭିଲେ ଇଭେଣ୍ଟ ଜିତିଛନ୍ତି। କର୍ମନ ୬୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଆଇଟିଏଫ୍‌ ଓମେନ୍ସ ଓ୍ବାଲର୍‌ଡ ଟୁର୍‌ ଫାଇନାଲରେ ୟୁକ୍ରେନ୍‌ର ୟୁଲିଆ ସ୍ତାରୋଦବ୍‌ସେଭାଙ୍କୁ ୭-୫, ୪-୬, ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ଦ୍ୱିତୀୟ ଡବ୍ଲ୍ୟୁ୬୦ ଆଇଟିଏଫ୍‌ ଟାଇଟଲ। ଏହି ବିଜୟ ଦ୍ୱାରା କର୍ମନ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ପ୍ରଫେଶନାଲ ଟାଇଟଲ ଜିତିବାରେ ସାନିଆ ମିର୍ଜାଙ୍କ ପରେ ଦ୍ୱିତୀୟ ଭାରତୀୟ ମହିଳା। କର୍ମନ ଏହା ପୂର୍ବରୁ ଗତବର୍ଷ ସାଗୁନେଠାରେ ତାଙ୍କର ପ୍ରଥମ ଡବ୍ଲ୍ୟୁ ୬୦ ଆଇଟିଏଫ୍‌ ଟାଇଟଲ ଜିତିଥିଲେ। ଏହା ହେଉଛି ତାଙ୍କର କ୍ୟାରିୟରର ଓଭର ଅଲ୍‌ ୪ର୍ଥ ଟାଇଟଲ। ଇଭାନ୍ସ ଭିଲେଠାରେ କର୍ମନ ପ୍ରଥମ ରାଉଣ୍ଡରେ ମେକ୍ସିିକୋର ମାରିଆ ଫର୍ନାଣ୍ଡା ନାଭାରୋଙ୍କୁ ପରେ ସ୍ଥାନୀୟ ଚ୍ୟାଲେଞ୍ଜର ମାରିବେଲା ଜାମାରିପାଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟରଫାଇନାଲରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଓ୍ବାଇଲ୍ଡ କାର୍ଡ ଆଲି କିକ୍‌ଙ୍କୁ ୬-୩, ୬-୩ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ଆମେରିକାର ମାକାର୍ଟିନି କେସ୍‌ଲରଙ୍କୁ ୬-୪, ୭-୫ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। କର୍ମନ ବର୍ତ୍ତମାନ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗରେ ୨୬୧ତମ ସ୍ଥାନରେ ଅଛନ୍ତି। ଦେଶର ସେ ହେଉଛନ୍ତି ଦ୍ୱିତୀୟ ର଼୍ୟାଙ୍କିଙ୍ଗ ମହିଳା ଖେଳାଳି।

Share