Categories: ଜାତୀୟ

ଏହା ପ୍ରତିଶୋଧର ରାଜନୀତି ନୁହେଁ, ଆମେ କେବଳ ନ୍ୟାୟ ଚାହୁଁଛୁ: ଶିବକୁମାର

ବେଙ୍ଗାଲୁରୁ,୨୮।୮: କରୋନା ସମୟରେ ଭାଜପା ସରକାର ସମୟରେ ଡାକ୍ତରଖାନାରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ କରିବେ କର୍ନାଟକ ସରକାର। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ, ତାଙ୍କ ସରକାର ପ୍ରତିଶୋଧର ରାଜନୀତି କରୁନାହାଁନ୍ତି, କେବଳ ସେ ଲୋକମାନଙ୍କୁ ନ୍ୟାୟ ମିଳୁ ବୋଲି ଚାହାଁନ୍ତି।

ଶିବକୁମାର କହିଛନ୍ତି, କରୋନା ଅବଧିରେ ଅମ୍ଳଜାନ ଅଭାବ ହେତୁ ୩୬ଜଣଙ୍କର ମୃତ୍ୟୁ ଘଟିଥିଲା କିନ୍ତୁ ତତ୍କାଳୀନ ମନ୍ତ୍ରୀ କହିଥିଲେ ଯେ, କେବଳ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆମେ ଏହାକୁ ଯାଞ୍ଚ କରିବା ଉଚିତ୍‌। ଏହାକୁ ନେଇ କୌଣସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇନାହିଁ।

କରୋନା ମହାମାରୀ ସମୟରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ ପାଇଁ କର୍ନାଟକ ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ କର୍ନାଟକ ହାଇକୋର୍ଟର ପୂର୍ବତନ ବିଚାରପତି। ସରକାର ତଦନ୍ତ କମିଟିକୁ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ, ପରୀକ୍ଷା କିଟ କ୍ରୟ, ଭେଣ୍ଟିଲେଟର ଆବଣ୍ଟନ ଇତ୍ୟାଦି ଯାଞ୍ଚ ପାଇଁ ଅନୁସନ୍ଧାନ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।

Share