Categories: ଜାତୀୟ

କର୍ନାଟକ: ୯ ମୁସଲମାନ ବିଧାୟକ କଂଗ୍ରେସର

ନୂଆଦିଲ୍ଲୀ,୧୫ା୫: ସଦ୍ୟ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ୯ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଶନିବାର ଆସିଥିବା ଫଳାଫଳ ଅନୁସାରେ ବିଧାନସଭାର ୨୨୪ ଆସନ ମଧ୍ୟରୁ କଂଗ୍ରେସକୁ ୧୩୫ ଆସନ ମିଳିଥିବାବେଳେ ଭାଜପା ୬୬ ଏବଂ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ୧୯ରେ ସୀମିତ ରହିଛି। କର୍ନାଟକର ୫.୩୧ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୧୩% ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର। ଏହି ସଂଖ୍ୟାଲଘୁ ଭୋଟରମାନେ କଂଗ୍ରେସ ସପକ୍ଷରେ ମତଦାନ କରିଥିବା କୁହାଯାଉଛି। ମୁସଲମାନଙ୍କୁ ଦିଆଯାଉଥିବା ୪% ସଂରକ୍ଷଣକୁ ଭାଜପା ସରକାର ଉଚ୍ଛେଦ କରିଦେଇଥିବାବେଳେ କଂଗ୍ରେସ ସେମାନଙ୍କୁ ପୁଣି ରିଜର୍ଭେଶନ ସୁବିଧା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲା। ଏଥିସହ ୧୫ ଆସନରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟିକେଟ ଦେଇଥିଲା, ଯାହାଙ୍କ ମଧ୍ୟରୁ ୯ ଜଣ ଜିତିଛନ୍ତି। ସେମାନେ ହେଲେ ରହିମ୍‌ ଖାନ୍‌ (ବିଦାର), ୟୁଟି ଖଦେର ଫରିଦ (ମାଙ୍ଗାଲୋର), ତନବୀର ସଇତ୍‌ (ମହିଶୂର ନରସିଂହରାଜା), ଆସିଫ୍‌ ସଇତ୍‌ (ବେଲାଗାଭି ନର୍ଥ), ରିଜ୍‌ଓ୍ବାନ ଅର୍ଶଦ (ଶିବାଜୀ ନଗର), ବି.ଜେଡ୍‌. ଜମିର ଅହମ୍ମଦ ଖାନ୍‌ (ଚମରାପେଟ୍‌), ଏଚ୍‌.ଏ. ଇକ୍‌ବାଲ ହୁସେନ (ରାମନଗରମ୍‌), ଏନ୍‌.ଏ. ହରିଶ (ଶାନ୍ତିନଗର) ଓ କନିଜ୍‌ ଫତିମା(ଗୁଲବର୍ଗା ନର୍ଥ)। ଅନ୍ୟପକ୍ଷେ ଜେଡିଏସ୍‌ ୨୩ ଆସନରେ ମୁସଲମାନ ପ୍ରାର୍ଥୀ ଛିଡ଼ା କରାଇଥିଲା। ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଜିତି ନାହାନ୍ତି। ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌ ୨ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ମାତ୍ର ୦.୦୨% ଭୋଟ ପାଇଛି। ଫତିମା ହେଉଛନ୍ତି କଂଗ୍ରେସ ଟିକେଟରେ ଲଢ଼ିଥିବା ଜଣେ ମାତ୍ର ମହିଳା ମୁସଲମାନ ପ୍ରାର୍ଥୀ। ସେହିପରି ଆସିଫ୍‌ ସଇତ୍‌ ଏବଂ ଇକ୍‌ବାଲ ହୁସେନ ପୁନଃ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୭ ମୁସଲମାନ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭାରେ ପ୍ରତିନିଧିତ୍ୱର ସୁଯୋଗ ପାଇଛନ୍ତି।

Share