Categories: ଜାତୀୟ

କର୍ନାଟକ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ, ସାଢେ ୬ଟାରେ ଏକଜିଟ ପୋଲ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ପାଇଁ ସମସ୍ତ ୨୨୪ ଆସନରେ ଭୋଟ ଗ୍ରହଣ ଜାରି ରହିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟ ଗ୍ରହଣ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ନିର୍ବାଚନ ମଇଦାନରେ କେତେଜଣ ବଡ ବଡ ନେତା ରହିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇ ନିର୍ବାଚନ ଲଢୁଛନ୍ତି। ତାଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର, ଜେଡିଏସ ମୁଖ୍ୟ ଏଚଡି କୁମାରସ୍ବାମୀଙ୍କ ଭଳି ବଡ ବଡ ନେତା ରହିଛନ୍ତି।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା କର୍ନାଟକରେ ୬୫.୫୮ ପ୍ରତିଶତ ମତଦାନ ହୋଇଛି। ବିବିଏମପି ଦକ୍ଷିଣ ଜିଲାକୁ ବାଦଦେଲେ ସମସ୍ତ ଜିଲାରେ ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି।
ମତଦାନ ଶେଷ ହେବା ପରେ ପରେ ୬ଟା ୩୦ରେ ସମସ୍ତ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ପକ୍ଷରୁ ଏକଜିଟ ପୋଲ ଜାରି କରି ଦିଆଯିବ। ଏଥିରେ ଅନୁମାନ ଲଗାଯିବ ଯେ କର୍ନାଟକରେ ହୋଇଥିବା ନିର୍ବାଚନରେ କ’ଣ ଫଳାଫଳ ଆସିବ।

Share