ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ୫୮,୫୪୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟର ୧୧.୭୧ ଲକ୍ଷ ଭୋଟର, ପ୍ରଥମ ଥର ଭୋଟ ଦେବାକୁ ଯାଉଛନ୍ତି।

ବିବୃତ୍ତି ଅନୁଯାୟୀ, ଏଥର ୫.୩ ପଞ୍ଜିକୃତ ଭୋଟରଙ୍କ ମଧ୍ୟରେ ପୁରୁଷ ଓ ମହିଳାଙ୍କ ସଂଖ୍ୟା ପ୍ରାୟ ସମାନ। ପୁରୁଷ ଭୋଟରଙ୍କ ସଂଖ୍ୟା ୨.୬୬ କୋଟି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨.୬୩ କୋଟି। ଏଥି ସହିତ, ୫.୭୧ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ଭୋଟର, ୮୦ ବର୍ଷରୁ ଅଧିକ ବୟସ୍କ ୧୨.୧୫ ଲକ୍ଷ ବରିଷ୍ଠ ନାଗରିକ ଏବଂ ୧୦୦ ବର୍ଷରୁ ଅଧିକ ୧୬ ହଜାରରୁ ଅଧିକ ଭୋଟର ଭୋଟ ଦେବାକୁ ପଞ୍ଜିକୃତ ହୋଇଛନ୍ତି।

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ୫୮ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଆୟୋଗଙ୍କ ଅନୁଯାୟୀ ମହିଳାମାନେ ୯୯୬ ବୁଥରେ ପରିଚାଳନା କାର୍ଯ୍ୟ କରିବେ। ଦିବ୍ୟାଙ୍ଗ ବ୍ୟକ୍ତିମାନେ ୨୩୯ ବୁଥରେ ଏହି କାର୍ଯ୍ୟ କରିବେ । ଯୁବକମାନେ ୨୮୬ ବୁଥ ପରିଚାଳନା କରିବେ ଏବଂ ୭୩୭ ଥିମ ଆଧାରିତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ପାନୀୟ ଜଳ, ଶୌଚାଳୟ, ରେମ୍ପ, ହୱିଲ ଚେୟାର, ବିଦ୍ୟୁତ, ସ୍ବେଚ୍ଛାସେବୀ, ଶେଡ, ହେଲ୍ପ ଡେସ୍କ ଏବଂ ପାର୍କିଂ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି।

Share