Categories: ଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭୋଟ ଫ୍ରମ ହୋମ୍‌ର ବ୍ୟବସ୍ଥା

ବେଙ୍ଗାଲୁରୁ,୩୦।୪: ପ୍ରାୟ ଏକ ସପ୍ତାହ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ଦଳ ଜୋରଦାର ପ୍ରଚାର ପ୍ରସ୍ତୁତି କରିବା ସହ ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ସୁରୁଖୁରୁରେ ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍ନାଟକରେ ପ୍ରଥମ ଥର ଭୋଟ ଫ୍ରମ ହୋମ୍‌ର ଘୋଷଣା କରିବା ସହ ନିର୍ବାଚନ ଆୟୋଗ ରବିବାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ନିର୍ବାଚନ ଆୟୋଗ ୮୦ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ରହି ଭୋଟ ଦେବାର ବ୍ୟବସ୍ଥା କରିଛନ୍ତି। ନିର୍ବାଚନ ଆୟୋଗର ୫ଜଣିଆ ମତଦାନ ଏଜେଣ୍ଟ୍‌ ମତଦାତାଙ୍କ ଘରକୁ ଯାଇ ଭୋଟ ଗ୍ରହଣ କରାଇବେ। ଏହି ପ୍ରକ୍ରିୟା ମେ ୬ଯାଏ ଚାଲିବ।

କର୍ନାଟକର ଯେଉଁ ଭୋଟରଙ୍କୁ ଭୋଟ ଫ୍ରମ୍‌ ହୋମ ପାଇଁ ଚୟନ କରାଯାଇଛି ସେମାନେ ଘରେ ରହି ମତଦାନ କରିବାର ସୁବିଧା ପାଇପାରିବେ। ସେମାନେ ସ୍ବେଚ୍ଛାକୃତ ଭାବେ ବାଲଟ୍‌ ପେପର୍‌ ଦ୍ୱାରା ଭୋଟ୍‌ ଦେଇପାରିବେ। ନିର୍ବାଚନ ଆୟୋଗ ନିଯୁକ୍ତ କରିଥିବା ପୋଲିଂ ଏଜେଣ୍ଟର ୫ଜଣିଆ ଟିମ୍‌ରେ ୨ଜଣ ମତଦାନ ଅଧିକାରୀ, ଜଣେ ପଯ୍ୟବେକ୍ଷକ, ଜଣେ ପାର୍ଟି ଏଜେଣ୍ଟ ଏବଂ କିଛି ପୋଲିସ ମତଦାନ କରିବା ସମୟରେ ଉପସ୍ଥିତ ରହିବେ। ମତଦାନ ସରିବା ପରେ ବାଲଟ୍‌ ବକ୍ସକୁ ସୁରକ୍ଷିତ ଭାବେ ଷ୍ଟଙ୍ଗ୍‌ ରୁମ୍‌କୁ ପଠାଯିବ। ସ୍ବଚ୍ଛ ମତଦାନ ପାଇଁ ନିର୍ବାଚନ ଆୟୋଗ ଜଣେ ଭିଡିଓଗ୍ରାଫରଙ୍କୁ ନିଯୁକ୍ତ କରିଛନ୍ତି। ଯିଏ କି ମତଦାନ ସମୟରେ ପୂରା ପ୍ରକ୍ରିୟାର ଭିଡିଓ କରିବେ।

Share