କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି : ଭାଜପା

ବାଙ୍ଗାଲୁରୁ,୧୯।୭: ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦ୍ରୀୟ ଅପରାଧ ଶାଖା(ସିସିବି) ବାଙ୍ଗାଲୁରୁରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି ଭାଜପା ବିଧାୟକ ଆର୍‌. ଅଶୋକ। କର୍ନାଟକ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ପାଲଟିଲାଣି। ସରକାର ଠିକ୍‌ ଭାବେ କାମ କରୁନାହାନ୍ତି। ପିଏଫ୍‌ଆଇ, କେଏଫ୍‌ଡି ଏବଂ ମୁସଲମାନ ସଂଗଠନ ବିରୋଧରେ ପଞ୍ଜିକୃତ ମାମଲାକୁ କଂଗ୍ରେସ ସରକାର ପ୍ରତ୍ୟାହାର କରି ନେଇଛନ୍ତି। କର୍ନାଟକକୁ ରକ୍ଷା କରନ୍ତୁ ବୋଲି ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ପ୍ରକାଶ ଯେ, କେନ୍ଦ୍ରୀୟ ଗୁପ୍ତଚର ବିଭାଗ ସହ ମିଳିତ ଅପରେଶନରେ ସିସିବି ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ମୋବାଇଲ ସହ ସେମାନଙ୍କର ଜିନିଷପତ୍ର ଜବତ କରାଯାଇଛି। ବର୍ତ୍ତମାନ ସିସିବି ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛି। କାରଣ ଏହି ସନ୍ଦିଗ୍ଧମାନଙ୍କ ସହ ଆଉ ୨ଜଣ ଥିବା ସେମାନେ ସନ୍ଦେହ କରୁଛନ୍ତି।

ସନ୍ଦିଗ୍ଧମାନେ ବାଙ୍ଗାଲୁରୁର ବିଭିନ୍ନ ଅଞ୍ଚଳର ବାସିନ୍ଦା। ଏମାନେ ବାଙ୍ଗାଲୁରୁରେ ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛି। କାରଣ ଏମାନେ ୨୦୧୭ରେ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଏହି ମାମଲାରେ ପରପାନା ଅଗ୍ରହାରା ସେଣ୍ଟ୍ରାଲ ଜେଲରେ ଥିବା ବେଳେ ଆତଙ୍କବାଦୀଙ୍କସହ ଯୋଗାଯୋଗରେ ଆସିଥିଲେ।

Share