Categories: ଜାତୀୟ

‘ଟିପୁଙ୍କ ସମର୍ଥକ ନୁହେଁ, ରାମ ଭଜନ ଗାଉଥିବା ଲୋକ ହିଁ ଏଠି ରହିବେ’

ବେଙ୍ଗାଲୁରୁ,୧୫।୨: କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। କର୍ନାଟକ ରାଜନୀତିରେ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ଏକ ବଡ଼ ପ୍ରସଙ୍ଗ। ଏବେ ଭାଜପାର ରାଜ୍ୟ ସଭାପତି ନାଲିନ କୁମାର କେଟେଲ ଟିପୁ ସୁଲତାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଟିପୁ ସୁଲତାନଙ୍କ ଅନୁଗାମୀମାନେ ଜୀବିତ ରହିବା ଉଚିତ୍‌ ନୁହେଁ। କେବଳ ଏତିକି ନୁହେଁ, ଟିପୁ ସୁଲତାନଙ୍କ ବଂଶଧରଙ୍କୁ ଜଙ୍ଗଲକୁ ପଠାଯିବା ଉଚିତ ବୋଲି ସେ କହିଛନ୍ତି।
ଏକ ସାଧାରଣ ସଭାରେ ନାଲିନ କହିଛନ୍ତି, ଆମେ ଭଗବାନ ରାମ ଏବଂ ହନୁମାନଙ୍କ ଭକ୍ତ। ଆମେ ଟିପୁଙ୍କ ବଂଶଧରଙ୍କୁ ଆମେ ଜଙ୍ଗଲ ପଠାଇଦେଇଛୁ। ତେଣୁ ମୁଁ ଲୋକଙ୍କୁ ପଚାରିବାକୁ ଚାହେଁ, ସେମାନେ ହନୁମାନଙ୍କୁ ପୂଜା କରିବେ ନା ଟିପୁ ସୁଲତାନଙ୍କ ଭଜନ ଗାଇବେ?
କେଟେଲ କହିଛନ୍ତି, କର୍ନାଟକବାସୀ ଭାବିବା ଉଚିତ ଯେ, ସେମାନେ ଭଗବାନ ରାମ ଏବଂ ହନୁମାନଙ୍କ ଭକ୍ତ କିମ୍ବା ଟିପୁଙ୍କ ବଂଶଧର ଚାହୁଁଛନ୍ତି। ମୁଁ ଭଗବାନ ହନୁମାନଙ୍କ ମାଟିରୁ ଚ୍ୟାଲେଞ୍ଜ ଦେଉଛି, ଯେଉଁମାନେ ଟିପୁକୁ ଭଲ ପାଆନ୍ତି ସେମାନେ ଏଠାରେ ରହିବେ ନାହିଁ। ଯେଉଁମାନେ ପ୍ରଭୁ ରାମଙ୍କ ଭଜନ ଗାନ କରନ୍ତି ଏବଂ ପ୍ରଭୁ ହନୁମାନଙ୍କ ସମର୍ଥକ ସେମାନେ କେବଳ ଏଠାରେ ରହିବା ଉଚିତ୍‌।
ଭାଜପା ଟିପୁ ସୁଲତାନଙ୍କ ଉପରେ ହଜାର ହଜାର ଲୋକଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ କରିଆସିଛି। ପୂର୍ବତନ ସିଦ୍ଦରମୈୟା ସରକାର କ୍ରମାଗତ ଦୁଇଥର ଟିପୁ ସୁଲତାନଙ୍କ ଜନ୍ମ ବାର୍ଷିକୀ ପାଳନ କରିଥିଲେ। ଏନେଇ ଭାଜପା କ୍ରମାଗତ ଭାବେ ପ୍ରଶ୍ନ ଉଠାଉଛି।

Share