Categories: ଜାତୀୟ

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ ଇସ୍ତଫା ପରେ ଏବେ କିଏ ଶାସନ କ୍ଷମତା ହାତେଇବ ତା’ ଉପରେ ସମସ୍ତଙ୍କ ନଜର। ଇତିମଧ୍ୟରେ ସଂସଦରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଚର୍ଚ୍ଚା ହୋଇଛି। ସନ୍ଧ୍ୟା ସୁଦ୍ଧା ଭାଜପା ପର୍ଯ୍ୟବେକ୍ଷକଙ୍କ ନାମ ସ୍ଥିର କରାଯିବ, ଯିଏ ଆସନ୍ତା ଦିନେ କିମ୍ବା ଦୁଇ ଦିନ ଭିତରେ କର୍ନାଟକ ଯିବେ। ଏହି ସପ୍ତାହର ଶେଷ ଆଡ଼କୁ ନୂଆ ମୁଖ୍ୟମନ୍ତ୍ରୀ ନାମକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ସେପର୍ଯ୍ୟନ୍ତ ୟେଦୁରପ୍ପା ସୁବେର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ରହିବେ। ସୂତ୍ର ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ପର୍ଯ୍ୟବେକ୍ଷକ ହୋଇପାରନ୍ତି। ତେବେ ଏହି ମୁଖ୍ୟମନ୍ତ୍ରୀଙ୍କ ରେସ୍‌ରେ ୩ଜଣଙ୍କର ନାମ ରହିଛି। ପ୍ରଥମରେ ବସଭରାଜ ବୋମାଇ ରହିଛନ୍ତି, ଯିଏକି ବର୍ତ୍ତମାନ କର୍ନାଟକ ସରକାରରେ ଗୃହମନ୍ତ୍ରୀ ସହ ସଂସଦୀୟ କାର୍ଯ୍ୟ ଓ ଆଇନ ମନ୍ତ୍ରୀ ରହିଛନ୍ତି। ସେହିପରି ଦ୍ୱିତୀୟରେ କର୍ନାଟକ ବିଧାନସଭାର ଅଧ୍ୟକ୍ଷ ବିଶେଶ୍ୱରା ହେଗଡେ କାଗେରୀ ଓ ତୃତୀୟରେ କେନ୍ଦ୍ର କୋଇଲା ଓ ଖନନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନାମ ରହିଛି।

Share