Categories: ଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ଚର୍ଚ୍ଚା

ନୂଆଦିଲ୍ଲୀ,୩।୫: ଭାଜପା ନେତା ବାସବରାଜ ବୋମାଇ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୯ ମାସ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି। ଆସନ୍ତାବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଏହା ଦଳ ଉପରେ ପ୍ରଭାବ ପକାଇବା ଶାସକ ଦଳ ଆଶଙ୍କା କରୁଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିବାବେଳେ ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବେଙ୍ଗାଲୁରୁ ଗସ୍ତରେ ଯାଇଥିବାରୁ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ସେଭଳି କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଜଣେ ଭାଜପା ନେତା ସୂଚନା ଦେବା ପରେ ବୋମାଇ ବାଦ୍‌ ପଡ଼ିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ରାଜ୍ୟ ନେତୃତ୍ୱରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାର କ୍ଷମତା ଭାଜପା କେନ୍ଦ୍ରୀୟ ନେତୃତ୍ୱର ରହିଛି ବୋଲି ରାଷ୍ଟ୍ରୀୟ ସାଂଗଠନିକ ସମ୍ପାଦକ ବି.ଏଲ୍‌. ସନ୍ତୋଷ କହିଥିଲେ। ରାଜନୀତିରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। କାରଣ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ସହଜ କଥା ନୁହେଁ। ସତ୍ତା ବିରୋଧୀ ହାଓ୍ବା ଜୋର୍‌ଦାର ହେଉଥିବାର ଦ୍ୱିତୀୟ ଥର ନିର୍ବାଚନ ଜିତିବା ଏକ ଚ୍ୟାଲେଞ୍ଜ ବୋଲି ସନ୍ତୋଷ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ପରେ ବର୍ଷକ ମଧ୍ୟରେ ପୁଣିଥରେ କର୍ନାଟକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଏଭଳି ଖବରକୁ ଅସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବୋମାଇ ଭଲ କାମ କରୁଛନ୍ତି। ତେଣୁ ନେତୃତ୍ୱ ପରିବର୍ତ୍ତନ ହେବାର ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।

Share