ନୂଆଦିଲ୍ଲୀ,୧୯।୫: କର୍ନାଟକରେ ଶନିବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସ ସଭାପତି ଡି.କେ ଶିବକୁମାର ଦିଲ୍ଲୀରେ ପହଞ୍ଚିଛନ୍ତି। ଶିବକୁମାର କହିଛନ୍ତି , ମୁଁ ମୋର ନେତାମାନଙ୍କୁ ନିମନ୍ତ୍ରଣ କରିବାକୁ ଏଠାକୁ ଆସିଛି। ତେବେ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ନାମ ଉପରେ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଉଭୟ ନେତା ଦିଲ୍ଲୀ ଆସିଥିବା ଜଣାପଡିଛି।
ଗୁରୁବାର ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ପରେ ସିଦ୍ଦାରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ଏହା ପରେ ସେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ।