ବେଙ୍ଗାଲୁରୁ,୨୦।୫: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ସିଦ୍ଦାରାମାୟା ଶପଥ ନେଇଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଏବଂ ୮ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବରେ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ତେବେ ୮ ଜଣ ବିଧାୟକଙ୍କ ମଧ୍ୟରେ ଜି ପରମେଶ୍ୱର, କେଜେ ଜର୍ଜ, କେ.ଏଚ ମୁନିୟପ୍ପା, ସତୀଶ ଜରକିହୋଲି, ଜମିର ଅହମ୍ମଦ, ରାମଲିଙ୍ଗା ରେଡ୍ଡୀ, ବି.କେ ହରିପ୍ରସାଦ ଏବଂ ଏମ.ବି ପାଟିଲ ଅଛନ୍ତି। ଏହି ୮ ନେତାଙ୍କ ମଧ୍ୟରେ ଥିବା ଜି ପରମେଶ୍ୱର ଜଣେ ବରିଷ୍ଠ କଂଗ୍ରେସ ନେତା। ଜି ପରମେଶ୍ୱରଙ୍କୁ କର୍ନାଟକରେ କଂଗ୍ରେସର ମୁଖ୍ୟ ଅନୁସୂଚିତ ଜାତି ମୁଖ ଭାବରେ ବିବେଚନା କରାଯାଏ। ପରମେଶ୍ୱର ଏଚ୍ଡି କୁମାର ସ୍ବାମୀଙ୍କ ନେତୃତ୍ୱରେ କଂଗ୍ରେସ-ଜେଡିଏସ ମିଳିତ ସରକାର ସମୟରେ ଉପମୁଖ୍ୟମନ୍ତ୍ରୀ ଥିଲେ। ସେ ଦୀର୍ଘ ସମୟ ଧରି କର୍ନାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ।