Categories: ଜାତୀୟ

ସିଦ୍ଦାରାମାୟା, ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ ବିରୋଧୀ ଏକତା

ନୂଆଦିଲ୍ଲୀ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ଶନିବାର କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କ୍ୟାବିନେଟରେ ସାମିଲ ହେବାକୁ ଥିବା କେତେଜଣ ବିଧାୟକ ବି ପଦ ଓ ଗୋପନୀୟତାର ଶପଥ ନେବେ। ଶପଥ ଗ୍ରହଣ ସମାରୋହ ପୂର୍ବରୁ ସିଦ୍ଦାରାମାୟା ଓ ଶିବକୁମାର ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଥିବା ମନ୍ତ୍ରୀଙ୍କ ନାମ ଓ ବିଭାଗକୁ ନେଇ ଦଳ ମୁଖିଆଙ୍କ ସହ ଚର୍ଚ୍ଚା କରିବାକୁ ଦିଲ୍ଲୀ ପହଞ୍ଚିଛନ୍ତି।

ସିଦ୍ଦାରାମାୟା ଏବଂ ଶିବକୁମାର ମଧ୍ୟ ଶୁକ୍ରବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। କଂଗ୍ରେସ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବୈଠକର ଫଟୋ ଟୁଇଟ କରିଛି। ଏଥିରେ କ୍ୟାପସନରେ ଲେଖାଯାଇଛି, ‘କର୍ନାଟକରେ ଲୋକ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଏକ ବୈଠକ।’ ଏଥିସହ ସିଦ୍ଦାରାମାୟା ଦିଲ୍ଲୀରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଥିଲେ।

ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ବିରୋଧୀ ଦଳର ବହୁ ନେତାଙ୍କୁ କଂଗ୍ରେସ ଆମନ୍ତ୍ରଣ କରିଛି। ଲୋକସଭା ନିର୍ବାଚନକୁ ପ୍ରାୟ ଏକ ବର୍ଷ ବାକି ଥିବାରୁ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାଙ୍କ ଏକତା ମଧ୍ୟରେ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି।

Share