Categories: ଜାତୀୟ

ଇସ୍ତଫା ଦେବାର ସଙ୍କେତ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ.୨୨ ।୭: କିଛି ଦିନ ହେବ କର୍ନାଟକ ସରକାର ରହିଛନ୍ତି ଚର୍ଚ୍ଚାରେ । ଶାସକ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ବି କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ୟେଦୁରପ୍ପା ଏହାକୁ ଖଣ୍ଡନ କରିଥିଲେ । ଏବେ କିନ୍ତୁ ସେ ଏକଥାକୁ ଇସାରାରେ କହିଛନ୍ତି । ଗୁରୁବାର ୟେଦୁରପ୍ପା କହିଛନ୍ତି ୨୫ ଜୁଲାଇରେ ଭାରତୀୟ ଜନତା ପାର୍ଟି(ଭାଜପା) ଯେଉଁ ନିଷ୍ପତ୍ତି ନେବ ତାହାକୁ ମୁଁ ମାନିନେବି । ଅନୁମାନ କରାଯାଉଛି କି ୨୬ ଜୁଲାଇକୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମନରେ ମୋ ପ୍ରତି ଗଭିର ସମ୍ମାନ ରହିଛି । ଭାଜପାରା ନୀତି ସଫା ଯେ ୭୫ ବର୍ଷ ବୟସ ଅତିକ୍ରମ କରିଯିବା ପରେ ସେମାନଙ୍କୁ କୌଣସି ପଦ ଦିଆଯିବ ନାହିଁ । ହେଲେ ମୋର କାମ ସେମାନଙ୍କୁ ବହୁତ ପସନ୍ଦ ଆସିଥିବାରୁ ମୋତେ ଦଳ ୭୮-୭୯ ବର୍ଷ ବୟସ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ଦେଇଛି । ମୋର ଉଦ୍ଦେଶ୍ୟ ରାଜ୍ୟରେ ଦଳକୁ ମଜଭୁତ କରିବା ଓ ଦଳକୁ ସରକାରକୁ ଫେରାଇ ଆଣିବା । ୨୬ ଜୁଲାଇକୁ ୟେଦୁରପ୍ପାଙ୍କର ୨ ବର୍ଷ ପୂରଣ ହେବ । ଏବେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଯାହା କହିବେ ତାହା ମୁଁ ପାଳନ କରିବି ବୋଲି କହିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । ତେଣୁ ସମସ୍ତ କର୍ମୀଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଦଳ ଯାହ ନିଷ୍ପତ୍ତି ନେଉଛି ତାକୁ ପାଳନ କରନ୍ତୁ । ସୂଚନାଯୋଗ୍ୟ, ଜୁଲାଇ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟେଦୁରପ୍ପା ସାକ୍ଷାତ୍ କରିବା ସମୟରେ ବୟସାଧିକ୍ୟ ଓ ଅସୁସ୍ଥତା ଦର୍ଶାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ।

Share