Categories: ଜାତୀୟ

କର୍ନାଟକରେ ବଡ ବିସ୍ଫୋରଣ, ୮ ଜୀବନ ଗଲା

ବେଙ୍ଗାଲୁରୁ,୨୨।୧: କର୍ନାଟକର ଶିବାମୋଗା ଜିଲାରେ ଗୁରୁବାର ରାତିରେ ଏକ ବିସ୍ଫୋରକ ବୋଝେଇ ଟ୍ରକ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହି ବିସ୍ଫୋରକ ସାମଗ୍ରୀ ଖଣି ଉଦ୍ଦେଶ୍ୟରେ ନିଆଯାଉଥିଲା ବୋଲି ଜଣାପଡିଛି। ରାତି ପ୍ରାୟ ସାଢେ ୧୦ଟା ଏହି ବିସ୍ଫୋରଣ ଘଟିଥିଲା, ଯାହା କେବଳ ଶିଭାମୋଗାରେ ନୁହେଁ, ନିକଟସ୍ଥ ଚିକକାମାଲୁରୁ ଏବଂ ଡାଭାନାଗେରେ ମଧ୍ୟ କମ୍ପନ ସୃଷ୍ଟି କରିଥିଲା। ସାକ୍ଷୀମାନେ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର ଝରକା ଭାଙ୍ଗି ଯାଇଥିଲା ଏବଂ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା।
ଏହାକୁ ନିଶ୍ଚିତ କରି ଶିବାମୋଗା ଜିଲାପାଳ କେ.ବି ଶିବକୁମାର କହିଛନ୍ତି ଯେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ କରି ଲେଖିଛି ଯେ, ଶିବମୋଗାରେ ଘଟିଥିବା ଦୁର୍ଘଟଣାରେ ମୁଁ ମର୍ମାହତ ବୋଲି ମୋଦି ନିଜ ଶୋକ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି। ସମସ୍ତ ସମ୍ଭାବ୍ୟ ସହାୟତା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଏହା ବ୍ୟତୀତ କର୍ନାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ଟୁଇଟ କରି କହିଛନ୍ତି ଯେ ଏହି ଦୁର୍ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Share