Categories: ଜାତୀୟ

ଏମ୍‌ଭିଏକୁ ସୁଦୃଢ଼ କରିବ ‘କର୍ନାଟକ ସୂତ୍ର’

ମୁମ୍ବାଇ, ୧୫।୫: କର୍ନାଟକରେ ଭାଜପାରେ ସଦ୍ୟ ଶୋଚନୀୟ ପରାଜୟ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ପାଇଁ ନୂଆ ଆଶାର କିରଣ ପାଲଟିଛି। ୨୦୨୪ ନିର୍ବାଚନରେ ଶାସକଦଳକୁ ଚ୍ୟାଲେଞ୍ଜ କରିବା ସକାଶେ ଏହା ୟୁବିଟି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପାଇଁ ସୁଯୋଗ ଆଣିଦେଇଛି। ଉଦ୍ଧବ ଅନ୍ୟ ଛୋଟ ଦଳଗୁଡ଼ିକୁ ସାଙ୍ଗରେ ନେଇ ନିର୍ବାଚନ ଲଢ଼ିଲେ କର୍ନାଟକ ଭଳି ପରିଣାମ ଆସିପାରେ ବୋଲି ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି)ର ରାଜ୍ୟ ସଭାପତି ଜୟନ୍ତ ପାଟିଲ କହିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ମୁମ୍ବାଇ ବାସଭବନ ‘ସିଲ୍‌ଭର ଓକ୍‌’ରେ ଏମ୍‌ଭିଏ ବୈଠକ ଶେଷରେ ପାଟିଲ କହିଛନ୍ତି, ଶିବସେନା ୟୁବିଟି, ଏନ୍‌ସିପି ଏବଂ କଂଗ୍ରେସ ଲୋକ ସଭା ତଥା ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏକାଠି ବସି ଆସନ ଭାଗବଣ୍ଟା ସୂତ୍ର ବାହାର କରିବେ। କର୍ନାଟକ ଭଳି ମହାରାଷ୍ଟ୍ରରେ ଏମ୍‌ଭିଏ ଲୋକଙ୍କ ଆସ୍ଥା ଜିତିବା ସହ ଅଧିକ ତତ୍ପର ହୋଇ କାର୍ଯ୍ୟ କରିବ। ଆସନ୍ତା ମାସରେ ମିଳିତ ରାଲି ପାଇଁ ଯୋଜନା ହୋଇଛି। ଉକ୍ତ ବୈଠକରେ ପାଓ୍ବାର, ଉଦ୍ଧବଙ୍କ ସମେତ ମେଣ୍ଟର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

Share