ବେଙ୍ଗାଲୁରୁ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିରନ୍ତର ସସ୍ପେନ୍ସ ଲାଗିରହିଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟା ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି।
ଏହି ସମୟରେ ଭାରତୀୟ ଜନତା ଦଳର ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୁଧାକର ସିଦ୍ଦାରାମାୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସିଦ୍ଧାରାମାୟା କଂଗ୍ରେସ-ଜେଡିଏସ ସରକାରକୁ ଖସାଇଥିଲେ। ସେ ଟୁଇଟ କରି ଲେଖିଛନ୍ତି ଯେ, ୨୦୧୮ରେ ତତ୍କାଳୀନ ଜେଡିଏସ-କଂଗ୍ରେସ ମିଳିତ ସରକାରରେ ଆମ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ ଅଭିଯୋଗ କରିବାକୁ ଯେତେବେଳେ ବିଧାୟକମାନେ ସମନ୍ବୟ କମିଟିର ଅଧ୍ୟକ୍ଷ ସିଦ୍ଦାରାମାୟାଙ୍କ ନିକଟକୁ ଯାଉଥିଲେ, ସେତେବେଳେ ଏହି ସରକାରରେ କିଛି ହେଉନାହିଁ ବୋଲି କହିଥିଲେ। ସେ ବିଧାୟକମାନଙ୍କୁ ଆଶ୍ୱାସନା ଦେଉଥିଲେ ଯେ ୨୦୧୯ରେ ଲୋକ ସଭା ନିର୍ବାଚନ ପରେ କୁମାରସ୍ବାମୀଙ୍କ ନେତୃତ୍ୱରେ ଏହି ମିଳିତ ସରକାରକୁ ଗୋଟିଏ ଦିନ ରହିବାକୁ ଅନୁମତି ଦିଆଯିବ ନାହିଁ।