Categories: ଜାତୀୟ

ଆଜି ଖାର୍ଗେ ଘୋଷଣା କରିପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାମ, ଫାଇନାଲ ଲାଇନର ନିକଟତର ସିଦ୍ଦାରାମାୟା

ନୂଆଦିଲ୍ଲୀ,୧୬।୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ୩ ଦିନ ହେବ କଂଗ୍ରେସ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ସୋମବାର ଏହାକୁ ନେଇ ଦିନସାରା ଚର୍ଚ୍ଚା ଜାରି ରହିଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସିଦ୍ଦାରାମାୟା ଓ ଡି.କେ. ଶିବକୁମାର ସେମାନଙ୍କର ବିବୃତ୍ତି ଦେଇଥିଲେ ବି ଏହାର କୌଣସି ସମାଧାନ ହୋଇପାରି ନାହିଁ। ଏବେ କୁହାଯାଉଛି କି ଏହି ଦୌଡରେ ସିଦ୍ଦାରାମାୟା ଆଗରେ ରହିଛନ୍ତି।

ମଙ୍ଗଳବାର ଡି.କେ ଶିବକୁମାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଡି.କେ. ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ ସୋମବାର ଆଲୋଚନା ପାଇଁ ଦିଲ୍ଲୀ ଡାକିଥିଲେ। ସୋମବାର ଅପରାହ୍ନରେ ସିଦ୍ଦାରାମାୟା ଦିଲ୍ଲୀରେ ପହଞ୍ଚିଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଶିବକୁମାର ଏହି ଗସ୍ତକୁ ବାତିଲ କରିଦେଇଥିଲେ। ତେବେ ତାଙ୍କ ବଦଳରେ ତାଙ୍କ ଭାଇ ଡି.କେ ସୁରେଶ ଖାର୍ଗେଙ୍କୁ ଭେଟିଥିଲେ।
ଏବେ କୁହାଯାଉଛି କି ଶିବକୁମାର ମଙ୍ଗଳବାର ଦିଲ୍ଲୀ ପହଞ୍ଚିବା ପରେ ଖାର୍ଗେ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାମ ଫାଇନାଲ କରିପାରନ୍ତି। ତେବେ ଏହି ରେସରେ ଆଗରେ ସିଦ୍ଦାରାମାୟା ଥିବା ଆଲୋଚନା ହେଉଛି।

Share