Categories: ଜାତୀୟ

ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋର୍‌ଙ୍କୁ ସ୍କୁଲ୍‌ ପାଠ୍ୟକ୍ରମ ବିଷୟବସ୍ତୁରୁୁ ହଟାଇବ କର୍ନାଟକ ସରକାର!

ବେଙ୍ଗାଲୁରୁ,୧୦।୬: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ପ୍ରଚାର ପତ୍ରରେ ନିର୍ବାଚନ ଜିତିଲେ ଆରଏସଏସ ସଂଗଠନ ଉପରେ ବ୍ୟାନ୍‌ ଲଗେଇବୁ ବୋଲି ଘୋଷଣା କରିଥିଲା। ଯାହାକୁ କର୍ନାଟକରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଏହାକୁ ଆରମ୍ଭ କରିଛି। ବର୍ତ୍ତମାନ ପାଠ୍ୟପୁସ୍ତକ ବିଷୟବସ୍ତୁରୁ ଆରଏସଏସ ସମ୍ପର୍କିତ ବିଷୟ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି।
କଂଗ୍ରେସ ସରକାର ଆରଏସଏସ ପ୍ରତିଷ୍ଠାତା କେଶବ ବାଲିରାମ ହେଡଗଓ୍ବୋରଙ୍କ ଜୀବନୀକୁ ସ୍କୁଲ୍‌ ପାଠ୍ୟକ୍ରମରୁ ହଟାଇବାକୁ ଯୋଜନା କରିଛନ୍ତି। ସରକାର ଖୁବ୍‌ ଶୀଘ୍ର ଏ ବାବଦରେ ଏକ ସର୍କୁଲାର ଜାରି କରିବେ ବୋଲି ଘୋଷଣା କରିଛନ୍ତି।

ହେଡଗଓ୍ବୋରଙ୍କ ବ୍ୟତୀତ ଦକ୍ଷିଣପନ୍ଥୀ ଚକ୍ରବର୍ତ୍ତୀ ସୁଲିବେଲେ ଏବଂ ପଣ୍ଡିତ ବନାନାଜେ ଗୋବିନ୍ଦାଚାର୍ଯ୍ୟଙ୍କ ସହ ଜଡିତ ବିଷୟବସ୍ତୁ ହଟାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ତେବେ୨୦୨୩-୨୪ ପାଇଁ ଏହି ପାଠ୍ୟପୁସ୍ତକ ପ୍ରକାଶିତ ହୋଇସାରିଛି।

ତେବେ ଏନେଇ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ କହିଛନ୍ତି, ପିଲାଙ୍କ ପାଠ୍ୟକ୍ରମରେ ଏପରି କାହାଣୀ ରହିବା ଉଚିତ୍‌, ଯେଉଁମାନେ ଦେଶ ନିର୍ମାଣରେ ଯୋଗଦାନ ରହିଛି, ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଛନ୍ତି। କିନ୍ତୁ ଭାଜପା ନିଜର ବିଚାରଧାର ଏବଂ ଆଦର୍ଶକୁ ସ୍କୁଲ୍‌ ପାଠ୍ୟକ୍ରମରେ ରଖିବାକୁ ଚେଷ୍ଟା କରିଛି, ଯାହା ଠିକ ନୁହେଁ। ଏହାକୁ ସରକାର ପରିବର୍ତ୍ତନ କରିବେ ଯେପରି ପିଲାଙ୍କ ପାଠ୍ୟପୁସ୍ତକରେ ସୁଧାର ଆସିପାରିବ।

Share