Categories: ଜାତୀୟ

ଏନଇପି-୨୦୨୦ ରଦ୍ଦ କରିବେ କର୍ନାଟକ ସରକାର, ଅଲଗା ଶିକ୍ଷାନୀତି ପାଇଁ ପ୍ରସ୍ତୁତି…

ବେଙ୍ଗାଲୁରୁ,୨୩।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧୀ ତଥା ଅଧିକାରୀଙ୍କ ସହ ଆଲୋଚନା ପରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି, ୨୦୨୦ (ଏନଇପି-୨୦୨୦ ) କୁ ରଦ୍ଦ କରି ରାଜ୍ୟ ସରକାର ଏକ ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିବେ। ଆମେ ଆମର ନିର୍ବାଚନୀ ଇସ୍ତାହାରରେ ଏନଇପି-୨୦୨୦ ରଦ୍ଦ କରିବାକୁ କହିଥିଲୁ।

ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟ ଏହି ନୀତିକୁ ରଦ୍ଦ କରିସାରିଛନ୍ତି । ରାଜ୍ୟ ପାଇଁ ନୂତନ ଶିକ୍ଷା ନୀତି ଉପରେ କାର୍ଯ୍ୟ କରିବାକୁ ସରକାର ଏକ ନୂତନ କମିଟି ଗଠନ କରିବେ ବୋଲି କହିଛନ୍ତି। କର୍ନାଟକରେ ଭଲ ମାନବ ସମ୍ବଳ ରହିଛି ଏବଂ ଏହା ଏକ ଜ୍ଞାନ କେନ୍ଦ୍ର। ଆମର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପାଇଁ ନିଜସ୍ବ ବ୍ୟବସ୍ଥା ଅଛି। ସେଥିପାଇଁ ଆମେ ଜାତୀୟ ଶିକ୍ଷା ନୀତିକୁ ସମାପ୍ତ କରିବୁ। ଆମେ କୌଣସି ନାଗପୁର ଶିକ୍ଷା ନୀତି ଚାହୁଁନାହୁଁ। ଆମେ ଏକ ସପ୍ତାହ ମଧ୍ୟରେ ଏକ ନୂତନ କମିଟି ଗଠନ କରୁଛୁ ।

ଏହାପୂର୍ବରୁ ଏକ୍ସ(ଟୁଇଟର)ରେ ଏକ ଟୁଇଟରେ ସେ ଦର୍ଶାଇଥିଲେ କର୍ନାଟକରେ ଶିକ୍ଷା ବ୍ୟବସ୍ଥା ଦେଶ ପାଇଁ ଏକ ମଡେଲ । ଏହି କାରଣରୁ ବାଙ୍ଗାଲୋର ଆଜି ଆଇଟି ରାଜଧାନୀ ପାଲଟିଛି। ଆମର ଶିକ୍ଷା ବ୍ୟବସ୍ଥା ଯୋଗୁ ରାଜ୍ୟର ଅନେକ ଲୋକ ବିଦେଶରେ ଭଲ ସ୍ଥିତିରେ ଅଛନ୍ତି। ଗତ ସପ୍ତାହରେ କର୍ନାଟକ ସିଏମ ସିଦ୍ଦରାମାୟା କହିଥିଲେ ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ଏନଇପି ବାତିଲ ହେବ।

ସିଦ୍ଦରାମୟୋ କହିଥିଲେ, ’କିଛି ଆବଶ୍ୟକ ପ୍ରସ୍ତୁତି କରିବା ପରେ ଏନଇପି-୨୦୨୦ ଶେଷ କରିବାକୁ ପଡିବ। ନିର୍ବାଚନ ଫଳାଫଳ ବାହାରିବା ଏବଂ ସରକାର ଗଠନ ହେବା ପୂର୍ବରୁ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିଲା, ତେଣୁ ବର୍ଷ ମଧ୍ୟଭାଗରେ ଛାତ୍ରୀଛାତ୍ରଙ୍କ ଅସୁବିଧାକୁ ଏଡାଇବା ପାଇଁ ଚଳିତ ବର୍ଷ ମଧ୍ୟ ଏନଇପି ଜାରି ରଖାଯାଇଛି। ସେ କହିଛନ୍ତି ଏନଇପିକୁ ଛାତ୍ରୀଛାତ୍ର, ଅଭିଭାବକ,ଅଧ୍ୟାପକ ଏବଂ ଶିକ୍ଷକମାନେ ଏକାଠି ବିରୋଧ କରିଛନ୍ତି।

ଏହା ପୂର୍ବରୁ ଜୁଲାଇ ମାସରେ କର୍ନାଟକର ପ୍ରାଥମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଥିଲେ କେନ୍ଦ୍ରର ଏନଇପି-୨୦୨୦ ଗ୍ରହଣ ନ କରିବାକୁ ରାଜ୍ୟ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହା ବଦଳରେ ରାଜ୍ୟ ଶିକ୍ଷା ନୀତି (ଏସଇପି) କାର୍ଯ୍ୟକାରୀ କରିବ।

Share