Categories: ଜାତୀୟ

ସିଦ୍ଦାରାମାୟା-ଶିବକୁମାରଙ୍କ ବିରୋଧରେ ଥିବା ୯ଟି ମାମଲା ପ୍ରତ୍ୟାହାର କଲେ ସରକାର

ଉଭୟ ନେତାଙ୍କ ବିରୋଧରେ ପଞ୍ଜୀକୃତ କୋଭିଡ ୧୯ ନିୟମ ଉଲ୍ଲଂଘନ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ କର୍ନାଟକ ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କରୋନା ପ୍ରତିବନ୍ଧକ ଉଲ୍ଲଂଘନକୁ ନେଇ ଏହି ମାମଲା ରୁଜୁ ହୋଇଥିଲା।
ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ କେ ପାଟିଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେଶନରେ ପଞ୍ଜୀକୃତ ୯ଟି ଆପରାଧିକ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ମେକେଡାଟୁ ଆନ୍ଦୋଳନ, କରୋନା ନିୟମ ଏବଂ ଧାରା ୧୪୪ ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ସମ୍ପର୍କିତ ରହିଛି। ସେ କହିଛନ୍ତି ଯେ କଂଗ୍ରେସ ବିଧାୟକ ଅଶୋକ ପଟ୍ଟନଙ୍କ ଆବେଦନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି, ଯେକି ବିଧାନସଭାରେ ସରକାରଙ୍କ ମୁଖ୍ୟ ସଚେତକ ରହିଛନ୍ତି।
ସୂଚନାଯୋଗ୍ୟ, ଯେ ଜାନୁୟାରୀ ୨୦୨୨ରେ ସିଦ୍ଦାରାମାୟା ଏବଂ ଡି.କେ ଶିବକୁମାରଙ୍କ ସମେତ ବହୁ କଂଗ୍ରେସ ନେତା ମେକେଡାଟୁ ଡ୍ୟାମ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରି ଏକ ପଦଯାତ୍ରା ଆୟୋଜନ କରିଥିଲେ। ସେତେବେଳେ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ପ୍ରତିବନ୍ଧକ ଲାଗୁ ହୋଇଥିଲା, ଯେଉଁଥିପାଇଁ କର୍ନାଟକ ମହାମାରୀ ରୋଗ ଅଧିନିୟମ ଅନୁଯାୟୀ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
କଂଗ୍ରେସ ନେତାଙ୍କ ବିରୋଧରେ ରାମନଗର ନିବାସୀ ବିଜୟ କୁମାର ତହସିଲଦାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହା ବିରୋଧରେ ୧୩ ଜଣ ଆବେଦନକାରୀ ହାଇକୋର୍ଟ ଯାଇଥିଲେ ଏବଂ କଂଗ୍ରେସ ନେତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିବାକୁ ଦାବି କରିଥିଲେ।

Share