Categories: ଜାତୀୟ

ସ୍ବାମୀଙ୍କୁ କଳା କହି ଅପମାନିତ କଲେ ସ୍ତ୍ରୀଙ୍କୁ ମିଳିବ ଛାଡପତ୍ର!

ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଛନ୍ତି। କୋର୍ଟ କହିଛନ୍ତି, ସମସ୍ତ ତଥ୍ୟକୁ ଅନୁସନ୍ଧାନ କରିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ, ପତ୍ନୀ ତାଙ୍କ ସ୍ବାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ତାଙ୍କ ସ୍ବାମୀ ବହୁ ଦିନରୁ ତାଙ୍କଠାରୁ ଅଲଗା ରହୁଥିଲେ।’

ହାଇକୋର୍ଟର ଜଷ୍ଟିସ ଆଲୋକ ଆରାଡେ ଏବଂ ଜଷ୍ଟିସ ଅନନ୍ତ ରାମନାଥ ହେଗଡେଙ୍କ ବେଞ୍ଚ କହିଛନ୍ତି ଯେ, ମହିଳା ଜଣକ ସ୍ବାମୀଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀ ଅନୈତିକ ସମ୍ପର୍କରେ ଲିପ୍ତ ଥଲେ ତେଣୁ ଦୁହେଁ ଅଲଗା ରହୁଥିଲେ। ମହିଳା ଜଣକ ଆଇପିସିର ଧାରା ୪୯୮ଏ ଅନୁଯାୟୀ ତାଙ୍କ ସ୍ବାମୀ ଏବଂ ଶାଶୁଶଶୁରଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଛନ୍ତି। ଘରୋଇ ହିଂସା ଅଧିନିୟମ ଅନୁଯାୟୀ ସେ ମାମଲା ଦାୟର କରିଛନ୍ତି କି, ତାଙ୍କ ସ୍ବାମୀ ଏବଂ ଶାଶୁଘର ଲୋକ ତାଙ୍କ ସହ ଅସଦାଚରଣ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି। ପୁରୁଷ ଜଣଙ୍କର ଶରୀରର ରଙ୍ଗ କଳା ହେତୁ ପତ୍ନୀ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ, କିନ୍ତୁ ଝିଅର ମୁହଁକୁ ଦେଖି ସ୍ବାମୀ ସବୁ ଅପମାନକୁ ସହ୍ୟ କରିଆସୁଥିଲେ। କିନ୍ତୁ ଅପମାନ ଅଧିକ ହେବାରୁ ସେ ଅତିଷ୍ଠ ହୋଇ ୨୦୧୨ରେ ସେ ବେଙ୍ଗାଲୁର ଏକ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୭ ମସିହାରେ ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡପତ୍ର ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ସ୍ବାମୀ ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ତେବେ ହିନ୍ଦୁ ବିବାହ ଆଇନର ଧାରା ୧୩(ଆଇ) (ଏ)ଅନୁଯାୟୀ ହାଇକୋର୍ଟ ଛାଡପତ୍ରକୁ ଅନୁମୋଦନ କରିଛନ୍ତି।

 

Share