Categories: ଜାତୀୟ

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ,୨୨।୯: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ଶୁକ୍ରବାର ଜନତା ଦଳ ସେକ୍ୟୁଲାର (ଜେଡିଏସ) ନେତା ଏଚଡି କୁମାରସ୍ବାମୀ ଭେଟିଛନ୍ତି। ଏହି ସମୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କର୍ନାଟକରେ ସିଟ ସେୟାରିଂକୁ ନେଇ ତିନି ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଏହି ବୈଠକ ପରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଜେଡିଏସ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ରେ ଯୋଗ ଦେଇଛି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚଡି କୁମାରସ୍ବାମୀଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭେଟିଥିଲେ। ମୁଁ ସୂଚନା ଦେଇ ଖୁସି ଯେ ଜେଡିଏସ ଏନଡିଏରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି ।
ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ଆମେ ଏନଡିଏକୁ ଜେଡିଏସକୁ ସ୍ବାଗତ କରୁଛୁ। ଏହା ଏନଡିଏ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ନୂଆ ଭାରତ, ମଜଭୁତ ଭାରତକୁ ଆହୁରି ମଜଭୁତ କରିବ। ସେ ଏହି ସମୟର ଫଟୋ ବି ସେୟାର କରିଛନ୍ତି।

Share