ବେଙ୍ଗାଲୁରୁ,୨।୧୧: କର୍ନାଟକର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ପିଏମଓରୁ ସାହାଯ୍ୟ ଏବଂ ସୁରକ୍ଷା ଲୋଡି କହିଛନ୍ତି, ସ୍ତ୍ରୀ ତାଙ୍କୁ ପ୍ରତିଦିନ ମାଡ ମାରୁଛନ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କଠାରୁ ହତ୍ୟା ଧମକ ମିଳୁଛି।
ବେଙ୍ଗାଲୁରୁର ବାସିନ୍ଦା ଯଦୁନନ୍ଦନ ଆଚାର୍ଯ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପିଏମଓକୁ ତାଙ୍କ ଅଭିଯୋଗ ପଠାଇଛନ୍ତି। ସେ ଅକ୍ଟୋବର ୨୯ରେ ନିଜ ଟୁଇଟ୍ରେ ବେଙ୍ଗାଲୁରୁ ନଗର ପୋଲିସ କମିଶନର ପ୍ରତାପ ରେଡ୍ଡୀ ଏବଂ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦୁନନ୍ଦନ ତାଙ୍କ ଆହତ ହାତର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।
ସେ ଟୁଇଟ୍ରେ ଲେଖିଛନ୍ତି, କେହି ମୋତେ ସାହାଯ୍ୟ କରିବେ କି? ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କେହି ମୋତେ ସାହାଯ୍ୟ କରିଥିଲେ? ନା, କାରଣ ମୁଁ ଜଣେ ପୁରୁଷ। ମୋ ସ୍ତ୍ରୀ ମୋତେ ଛୁରୀରେ ଆକ୍ରମଣ କରିଥିଲେ। ଏହା କ’ଣ ନାରୀ ଶକ୍ତି, ଯାହା ତୁମେ କହୁଛ। ମୁଁ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିପାରିବି? ନା। ସେ ଏହା ମଧ୍ୟ କହିଛନ୍ତି ଯେ ଛୁରୀରେ ସ୍ତ୍ରୀ ଆକ୍ରମଣ କରିବା ପରେ ତାଙ୍କ ହାତରେ ଆଘାତ ଲାଗିଛି।
ତାଙ୍କ ଟୁଇଟର ଜବାବରେ ବେଙ୍ଗାଲୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡୀ ତାଙ୍କୁ ପୋଲିସ ଷ୍ଟେଶନକୁ ଆସି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ଦାଖଲ କରିବାକୁ କହିଛନ୍ତି। ସୋସିଆଲ ମିଡିଆରେ ଯଦୁନନ୍ଦନ ଆଚାର୍ଯ୍ୟଙ୍କୁ ବହୁତ ସମର୍ଥନ ମିଳିଛି।